ଫୁଲୁଛି ସୁବର୍ଣ୍ଣରେଖା : ମୁକୁଳା ନଦୀ ବନ୍ଧ ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ
ବାଲେଶ୍ୱର : ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳରେ ତିନି ଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗରହିଛି । ଯାହାଫଳରେ ଚାରିଆଡ଼େ ଚାଷ ଜମିରେ ବର୍ଷା ଜଳ ପୁରି ରହିଛି । ଲଘୁଚାପ ଜନିତ ବର୍ଷାରେ ସୁବର୍ଣ୍ଣରେଖାରେ ସାମାନ୍ୟ ବନ୍ୟା ଆସିଲେ ମୁକୁଳା ନଦୀବନ୍ଧ ପାଇଁ ବନ୍ୟାଜଳ ଅନାୟସରେ ଗାଁ ଗଣ୍ଡା ଚାଷ ଜମିରେ ବନ୍ୟା ଜଳ ମାଡି ନଦୀ କୂଳିଆ ଏବଂ ତଳିଆ ଅଞ୍ଚଳ ରେ ଘର ଦ୍ୱାର ଚାଷ ବାସ ନଷ୍ଟ କରି ଦେବ । ସେଥିପାଇଁ ସୁବର୍ଣ୍ଣରେଖାରେ ସାମାନ୍ୟ ବନ୍ୟା ନଦୀ କୁଳିଆ ଏବଂ ତଳିଆ ଅଞ୍ଚଳର ଲୋକମାନଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି । ବାଲିଆପାଳ ବ୍ଳକର ବିଷ୍ଣୁପୁର ପଞ୍ଚାୟତର ରାଉତୁରା ପୁର, ରସାଳ ପୁର, ଇକଡପାଲ୍, କୁହ୍ଳା ଆଦି ଗ୍ରାମରେ ପ୍ରତିବର୍ଷ ସୁବର୍ଣ୍ଣରେଖା ନଦୀର ବନ୍ୟା କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ସରକାର ନଦୀ କୂଳରେ ପଥର ବନ୍ଧ କରିବା ସହିତ ପ୍ରଖର ସ୍ରୋତକୁ ନିୟନ୍ତ୍ରଣ କରିବା ପାଇଁ ନଦୀ ଭିତରକୁ ସ୍ପର୍ ନିର୍ମାଣ କରାଇଛନ୍ତି । ହେଲେ ନିର୍ମାଣ ହୋଇଥିବା ନଦୀ ବନ୍ଧ ବିଭିନ୍ନ ସ୍ଥାନରେ ସମ୍ପୂର୍ଣ ହୋଇ ପାରି ନାହିଁ । ରାଉତୁରାପୁର ଏବଂ ରସାଳପୁର ଗ୍ରାମକୁ ସଂଯୋଗ କରିଥିବା ପ୍ରାୟତଃ ୩ ଶହ ମିଟର ବନ୍ଧ ମୁକୁଳା ଅବସ୍ଥାରେ ପଡ଼ି ରହିଛି । ସେହିପରି ସୁବର୍ଣ୍ଣରେଖା ମୁଖ୍ୟ ନଦୀରୁ ଏକ ଶାଖା ନଦୀ କୁଦମାନସିଂ ଠାରୁ ବାହାରି ବିଷ୍ଣୁପୁର ପଞ୍ଚାୟତର ଅଭିମୁଖେ ପ୍ରବାହିତ ହେଉଛି । ଏହି ଶାଖା ନଦୀର ବନ୍ଧ କୁଦମାନସିଂ ପୋଲ ଠାରେ ପ୍ରାୟ ଏକ ଶହ ମିଟର ଲମ୍ୱା ନଦୀ ବନ୍ଧ ମୁକୁଳା ହୋଇ ପଡ଼ି ରହିଛି । ଯାହା ଫଳରେ ନଦୀରେ ବନ୍ୟା ଜଳ ଅଳ୍ପ ପରିମାଣରେ ଆସିଲେ ବାଲିଆପାଳ, କୁଦ ମାନସିଂହ, ସୁଙ୍ଗମୂହଁ, ନୟାବାଲି, ବିଷ୍ଣୁପୁର, ରାଉତୁରାପୁର, ଇକଡପାଲ୍, କୁହ୍ଲାଚଡ, ତାଳପଦା, ଜାମକୁଣ୍ଡା, ପଞ୍ଚରୁଖି, ଚରବସ୍ତକାଲରୁଇ, ଚୌଧୁରୀକୁଦ ଆଦି ତଳିଆ ଅଞ୍ଚଳରେ ଶହ ଶହ ଏକର ଚାଷ ଜମିରେ ଅନାୟସରେ ବନ୍ୟା ଜଳ ମାଡ଼ିଯାଇ ଫସଲ ନଷ୍ଟ କରିଦେବ । ୨୦୦୮ରୁ ୨୦୧୩ ମସିହାରେ ପର୍ଯ୍ୟନ୍ତ ପ୍ରତିବର୍ଷ ସୁବର୍ଣ୍ଣରେଖା ରେ ପ୍ରଳୟଙ୍କାରୀ ବନ୍ୟା ଆସି ରସଲପୁର ଏବଂ ରଉତୁରାପୁର ଗ୍ରାମର କିଛି ଲୋକ ମାନଙ୍କର ଘର ଦ୍ୱାର ନଦୀ ଗର୍ଭରେ ଲୀନ କରି ଦେଇଛି । ଗ୍ରାମବାସୀ ବେସାହରା ହୋଇ ନିଜ ଜନ୍ମ ଭୂମି ଛାଡ଼ି ଦୟନୀୟ ଅବସ୍ଥାରେ ଅନ୍ୟତ୍ର ଜୀବନ ଯାପନ କରୁଛନ୍ତି । ସେ ଦିନର ବନ୍ୟାର ଭୟାବହ ଦୃଶ୍ୟ ଆଜିବି ଲୋକଙ୍କ ମନରେ ଭୟ ସଞ୍ଚାର କରୁଛି ।
ସୂଚନା ଯେ, ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀର ବନ୍ୟା ଜଳବିପଦ ସଂକେତସ୍ତର ୧୦.୫୬ ରହିଥିବା ବେଳେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବିପଦ ସଙ୍କେତ ତଳେ ଜଳ ପ୍ରବାହ ହେଉଛି । ବନ୍ୟା ଜଳ କେବଳ ନଦୀରେ ଯାଇ ସମୁଦ୍ରରେ ମିଶିଯିବା କଥା ମାତ୍ର ମୁକୁଳା ନଦୀ ବନ୍ଦ ପାଇଁ ୯.୨୯ ମିଟର ଜଳ ପ୍ରବାହରେ ମଧ୍ୟ ବାଲିଆପାଳ ବ୍ଲକ ତଳିଆ ଅଞ୍ଚଳରେ ବନ୍ୟା ଜଳ ଚାଷ ଜମିରେ ମାଡିଯାଉଛି । ମୁହାଣ ମୁହଁ ବାଲିରେ ପୋତି ଯାଇଥିବାରୁ ବନ୍ୟା ଜଳ ଚାଷ ଜମିରୁ ଶୀଘ୍ର ନିଷ୍କାସନ ହୋଇ ପାରୁନାହିଁ ଫଳରେ ଚାଷୀଙ୍କ କ୍ଷତି ବଢ଼ି ଯାଉଛି । ଏ ବିଷୟରେ ଗ୍ରାମବାସୀ ମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଫଳ ଶୂନ । ବିଭାଗୀୟ ଅଧିକାରୀ ମାନଙ୍କର ଉଦାସୀନତା ପାଇଁଁ ସୁବର୍ଣ୍ଣରେଖା ନଦୀ ବନ୍ଧ ବିଭିନ୍ନ ସ୍ଥାନରେ ମୁକୁଳା ଅବସ୍ଥାରେ ପଡ଼ି ରହିଛି ତ କେଉଁ ଠାରେ ମାଟି ମାଫିଆ ମାନେ ନଦୀ ବନ୍ଧ ଖୋଳି ମାଟି ବିକ୍ରୀକରି ମାଲା ମାଲ ହେଉ ଥିବା ବେଳେ ଗ୍ରାମ ବାସୀଙ୍କ ଦୂର୍ଦୀନକୁ ଡକିଆଣୁଛନ୍ତି ।
