ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କଲେ ମୋଦି, ଆଫଗାନିସ୍ତାନରେ ହିଂସାର ଅବସାନ ପାଇଁ ଆହ୍ୱାନ
ନୂଆଦିଲ୍ଲୀ : ବ୍ରାଜିଲ, ଭାରତ, ଋଷିଆ,ଚୀନ ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ବ୍ରିକ୍ସ ସଂଗଠନର ୧୩ତମ ସମ୍ମିଳନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍, ବ୍ରାଜିଲ ରାଷ୍ଟ୍ରପତି ଜେର ବୋଲସାନାରୋ, ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ଜେର୍ ବୋଲସାନାରୋ ଯୋଗ ଦେଇଥିଲେ । ଏଥିରେ ଉଦବୋଧନ ଦେଇ ମୋଦୀ ବ୍ରିକ୍ସ ଦେଶମାନଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ । ଏହି ସମ୍ମିଳନୀରେ ମିଳିତଭାବେ ଆତଙ୍କବାଦର ମୁକାବିଲା, କୋଭିଡ ମୁକାବିଲା, ଜାତିସଂଘର ସଂସ୍କାର, ଆଫଗାନରେ ଶାନ୍ତି ପ୍ରତିଷ୍ଠାକୁ ନେଇ ସହମତି ହୋଇଛି । ଆତଙ୍କବାଦର ମୁକାବିଲା ପାଇଁ ଏକ ଆକ୍ସନ ପ୍ଲାନକୁ ବୈଠକରେ ମଂଜୁରୀ ମିଳିଛି । ଋଷିଆ ରାଷ୍ଟ୍ରପତି ପୁଟିନ ଆଫଗାନିସ୍ତାନରେ ତାଲିବାନ ଶାସନକୁ ନେଇ ଚିନ୍ତା ପ୍ରକଟ କରିଥିଲେ ।
ବୈଠକ ପରେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ଗୋଟିଏ ଘୋଷଣାପତ୍ର ଜାରି କରି କହିଛନ୍ତି ଯେ ଆଫଗାନରେ ସ୍ଥିରତା, ଶାନ୍ତି ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ପାଇଁ ଗୋଟିଏ ବିସ୍ତୃତ ଇଣ୍ଟ୍ରା ଆଫଗାନ ଆଲୋଚନାର ଆବଶ୍ୟକ ରହିଛି। ସେହିପରି ସମସ୍ତେ ମାନବାକିତା ଆବଶ୍ୟକତାକୁ ମଧ୍ୟ ବୁଝିବା ଦରକାର। ମାନବାଧିକାର, ମହିଳା ଓ ଶିଶୁଙ୍କ ଅଧିକାର ଯେମିତି କ୍ଷୁଣ୍ଣ ନ ହେବ, ତା’ର ଉପରେ ମଧ୍ୟ ଗୁରୁତ୍ୱ ଦେବାର ଅଛି। ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ଏହି ଘୋଷଣାନାମରେ ଏକମତ ହୋଇଛନ୍ତି। ଆଫଗାନ ମାଟିକୁ ଯେମିତି କୌଣସି ଆତଙ୍କୀ ସଂଗଠନ ବ୍ୟବହାର କରିପାରିବେ ନାହିଁ, ତା’କୁ ମଧ୍ୟ ନିଶ୍ଚିତ କରିବାକୁ ହେବ ବୋଲି କହିଛନ୍ତି। ଏହାବାଦ ଆତଙ୍କୀ ସଂଗଠନକୁ ଆର୍ଥିକ ସହାୟତା କରୁଥିବା ଓ ସେମାନଙ୍କ ଭୂସ୍ୱର୍ଗ ପାଲଟିଥିବା ସ୍ଥାନଗୁଡ଼ିକ ବିରୋଧରେ କାମ କରିବାକୁ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ପ୍ରତିଶ୍ରୁତିବଦ୍ଧ ଥିବା କହିଛନ୍ତି। ବୈଠକ ବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି। ଅସ୍ଥିର ଆଫଗାନ ଯୋଗୁ ସୃଷ୍ଟି ହେଉଥିବା ବିପଦ ପଡ଼ୋଶୀ ଦେଶଗୁଡ଼ିକ ପ୍ରଭାବିତ କରିବାର ଆଶଙ୍କା ରହିଥିବା ସେ କହିଛନ୍ତି। ପୁଟିନ କହିଛନ୍ତି, ଆଫଗାନିସ୍ତାନ କେବେ ହେଲେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ବିରୋଧରେ ବିପଦ ହୋଇ ଛିଡ଼ା ନ ହେବା ଦରକାର।
ଏହା କେବେ ହେଲା ନିଶା ଦ୍ରବ୍ୟ ଓ ଆତଙ୍କବାଦର ଉତ୍ସ ନ ହେଉ। ଆଫଗାନର ନାଗରିକମାନେ ସେମାନଙ୍କ ଅଧିକାର ଉପଭୋଗ କରିବା ଦରକାର। ସେମାନଙ୍କ ଇଚ୍ଛାରେ ସେମାନେ ନିଜ ଦେଶକୁ ଗଠନ କରିବା ଉଚିତ ବୋଲି ପୁଟିନ କହିଛନ୍ତି। ସମ୍ମିଳନୀ ବେଳେ ପୁଟିନ ଆମେରିକା ଉପରେ ମଧ୍ୟ କମରକସିଛନ୍ତି। ସେ କହିଛନ୍ତି, ଆମେରିକା ଓ ଏହାର ସହଯୋଗୀମାନେ ହଠାତ୍ ଆଫଗାନରୁ ଚାଲି ଯିବାରୁ ଏପରି ଏକ ସଙ୍କଟମୟ ପରିସ୍ଥିତି ସୃଷ୍ଟି ହୋଇଛି। ଆମେରିକା ଯୋଗୁ ବିଶ୍ୱର ସୁରକ୍ଷା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଆଞ୍ଚଳିକ ବିବାଦ ମଧ୍ୟ ଏଯାଏ ସମାଧାନ ହୋଇନି। ଐତିହାସିକ ମୂଲ୍ୟବୋଧ ଓ ପରମ୍ପରାକୁ ବିଚାରକୁ ନ ନେଇ ତଥାକଥିତ ଗଣତନ୍ତ୍ର ପ୍ରତିଷ୍ଠା କରିବାକୁ ଉଦ୍ୟମ କରାଯାଇଥିଲା। ଏହାଦ୍ୱାରା ଅସ୍ଥିରତା ଓ ହିଂସା ବଢ଼ିଲା ବୋଲି ସେ କହିଛନ୍ତି।
