ଷ୍ଟାଫ ସିଲେକସନ କମିଶନ ନିଯୁକ୍ତି ଦୁର୍ନୀତି ପ୍ରତିବାଦରେ ଛାତ୍ର କଂଗ୍ରେସର ବିଧାନସଭା ଘେରାଉ
- ମାଷ୍ଟରକ୍ୟାଂଟିନ ଛକରେ ବିଶାଳ ବିକ୍ଷୋଭ
ଭୁବନେଶ୍ୱର : ଷ୍ଟାଫ ସିଲେକସନ କମିଶନ ନିଯୁକ୍ତି ଦୁର୍ନୀତି ପ୍ରସଙ୍ଗ ଓ ହତ୍ୟାକାରୀ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଓ ଗିରଫ ଦାବିରେ ବିଧାନସଭା ଘେରାଉ କରିଛି ପ୍ରଦେଶ ଛାତ୍ର କଂଗ୍ରେସ । ଏଥି ସହ ଯୁକ୍ତ ଦୁଇ ଡ୍ରପଆଉଟ ଓ ଏକ୍ସ ରେଗୁଲାର ଛାତ୍ରଙ୍କ ମୂଲ୍ୟାୟନରେ ହୋଇଥିବା ପକ୍ଷପାତିତାକୁ ପ୍ରଦେଶ ଛାତ୍ର କଂଗ୍ରେସ ବିରୋଧ କରିଥିଲା । ମଙ୍ଗଳବାର ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ମାଷ୍ଟରକ୍ୟାଂଟିନ୍ ଛକ ଠାରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ପରେ ପ୍ରଭାରୀ ଅନୁଲେଖା ବୋଷାଙ୍କ ନେତୃତ୍ୱରେ ବିଧାନସଭା ଆଡ଼କୁ ଛାତ୍ରକଂଗ୍ରେସ କର୍ମୀମାନେ ଘେରାଉ ପାଇଁ ଯିବା ବେଳେ ପିଏମଜି ଠାରେ ପୋଲିସ ଏବଂ ଛାତ୍ର କଂଗ୍ରେସ କର୍ମକର୍ତାଙ୍କ ମଧ୍ୟରେ ଧସ୍ତାଧସ୍ତି ହେଇଥିଲା । ପ୍ରାୟ ୫ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ପୋଲିସ ଗିରଫ କରିଥିଲା । ରାଜ୍ୟର ୭ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଛାତ୍ର କଂଗ୍ରେସ କର୍ମୀ ଓ ନେତା ଅଂଶଗ୍ରହଣ କରିଥିଲେ ।
ଶ୍ରୀ ନୱାଜ କହିଥିଲେ ଯେ ନବୀନ ସରକାର ଦୀର୍ଘ ୨୧ ବର୍ଷ ଧରି ସରକାରୀ ଚାକିରୀକୁ ବିକ୍ରି କରିିଚାଲିଛନ୍ତି । ନିର୍ବାଚନୀ ଇସ୍ତାହାରରେ ଲେଖିଥିଲେ ବର୍ଷକୁ ୨ଲକ୍ଷ ଚାକିରୀ ଦେବେ । କିନ୍ତୁ ଓଡ଼ିଶାବାସୀ ଜାଣିବାକୁ ପାଇଲେ – “ନବୀନ ହାଟରେ ଚାକିରୀ ବିକିରି” । ବିଧାନସଭା ଭଳି ପବିତ୍ର ଗୃହର ମର୍ଯ୍ୟାଦାକୁ ହାନି କରି ଜଣେ ମନ୍ତ୍ରୀ କହୁଛନ୍ତି ଷ୍ଟାଫ ସିଲେକସନ କମିଶନରେ ଦୁର୍ନୀତି ହୋଇନାହିଁ । ଷ୍ଟାଫସିଲେକସନ ଦୁର୍ନୀତିର ସମସ୍ତ ପାପକୁ ଜଣେ କିରାଣୀ ମୁଣ୍ଡରେ ଲଦିଦେଇ ନବୀନ ସରକାର ନିଜକୁ ସ୍ୱଚ୍ଛବୋଲି କହୁଛନ୍ତି । ଷ୍ଟାଫସିଲେକସନ କମିଶନ ନିବୀନ ପଟ୍ଟନାୟକଙ୍କର ନିଜସ୍ୱ ବିଭାଗର ଅଧିନ । ଏଣୁ ଏ ସମସ୍ତ ପାପକୁ ଲୁଚେଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଚକ୍ରାନ୍ତ କରୁଛନ୍ତି ବୋଲି ଶ୍ରୀ ନୱାଜ ଅଭିଯୋଗ କରିଛନ୍ତି । ଷ୍ଟାଫସିଲେକସନ କମିଶନର ଅଧ୍ୟକ୍ଷ ଓ ସମସ୍ତ ସଭ୍ୟ ଏବଂ ୨୧ ବର୍ଷଧରି ଯେଉଁମାନେ ଅଧ୍ୟକ୍ଷ ଥିଲେ ଏବଂ ଯେଉଁମାନେ ସଭ୍ୟଥିଲେ ସେ ସମସ୍ତଙ୍କୁ ତଦନ୍ତ ପରିସରକୁ ଅଣାଯାଇ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଛାତ୍ର କଂଗ୍ରେସ ଦାବି କରିଛି ।
ଅନ୍ୟ ପକ୍ଷରେ ଶ୍ରୀ ନୱାଜ ଅଭିଯୋଗ କରିଛନ୍ତି ଏବଂ ନବୀନ ସରକାର ୨୧ ବର୍ଷ ଧରି ଅପରାଧୀମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ସଂପୃକ୍ତ ଆଇନ ମନ୍ତ୍ରୀ ପ୍ରତାପ ଜେନା ନବୀନ ବାବୁଙ୍କ ଛତ୍ରଛାୟା ତଳେ ସୁରକ୍ଷିତ । ଏ ରାଜ୍ୟର ଛାତ୍ରଛାତ୍ରୀ ଓ ବେକାର ଯୁବକଯୁବତୀ ନ୍ୟାୟ ନପାଇବା ପର୍ଯ୍ୟନ୍ତ ଏବଂ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର ଓ ଗିରଫ ନକରିବା ପର୍ଯ୍ୟନ୍ତ ଛାତ୍ର କଂଗ୍ରେସ ଆନ୍ଦୋଳନ ଜାରି ରଖିବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ ଛାତ୍ର କଂଗ୍ରେସର ସଂପାଦିକା ତଥା ଓଡି଼ଶା ପ୍ରଭାରୀ ସୁଶ୍ରୀ ଅନୁଲେଖା ବୋଷା କହିଥିଲେ ଯେ ଷ୍ଟାଫସିଲେକସନ ଦୁର୍ନୀତି ପ୍ରସଙ୍ଗରେ ଛାତ୍ର କଂଗ୍ରେସର ଆନ୍ଦୋଳନ ତୃଣମୂଳ ସ୍ତରରେ ପଂହଚିଛି । ୩୦ଟି ଜିଲ୍ଳାର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏବଂ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଛାତ୍ର କଂଗ୍ରେସ ଆନ୍ଦୋଳନ କରିଛି । ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ସମ୍ମୁଖରେ ଏହି ପ୍ରସଙ୍ଗରେ ଛାତ୍ର କଂଗ୍ରେସ ଦସ୍ତଖତ ଅଭିଯାନ କରିଥିଲା । ସେ କହିଥିଲେ ନବୀନ ସରକାର ଅମଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ଦୁର୍ନୀତିକୁ ଯିଏ ବିରୋଧ କରୁଛି ନବୀନ ସରକାରଙ୍କ ମନ୍ତ୍ରୀ ସେମାନଙ୍କୁ ହତ୍ୟା କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ, ଗଣେଶ୍ୱର ବେହେରା, ଦେବାଶିଷ ପଟ୍ଟନାୟକ, ସତ୍ୟପ୍ରକାଶ ନାୟକ, ରଜତ ଚୌଧୁରୀ, ବିଶ୍ୱଜିତ ଦାଶ, ଅଜୟ କୁମାର ସାହୁ, ମନ୍ମଥ ରାଉତରାୟ, ମନୋଜ ବିଶ୍ୱାଳ, ମନୋଜ ରାଉତ, ଆଲୋକ ଲେଙ୍କା, ରାଜୀବ ପଟ୍ଟନାୟକ, ନିତେଶ ବେହେରା, ସୁଭାଷ ପ୍ରଧାନ, ସୌମ୍ୟ ରଞ୍ଜନ ଜେନା, ବିଶ୍ୱଭୂଷଣ ମହାପାତ୍ର, ବିଭୁତି ମହାପାତ୍ର, ଅନନ୍ତ କୁମାର ଦାସ, ଆଦିତ୍ୟ କହଁର, ଶୁଭମ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
