ନୂଆପଡାରେ ବିଜେପିର ୫ ଜଣିଆ ଟିମ୍, ଜିଲାକୁ ମରୁଡି ପ୍ରଭାବିତ ଘୋଷଣା ଦାବି
ନୂଆପଡା : ନିଅଣ୍ଟିଆ ବର୍ଷା ଯୋଗୁଁ ରାଜ୍ୟରେ ମରୁଡି ପରିସ୍ଥିତି ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ ନୂଆପଡା ଜିଲାରେ ଚଳିତ ବର୍ଷ ମରୁଡିର କରାଳ ରୁପ ଦେଖା ଦେଇଛି । ମାତ୍ର ଏଭଳି ପରିସ୍ଥିତିରେ ମଧ୍ୟ ରାଜ୍ୟ ସରକାର ନୂଆପଡା ଜିଲାକୁ ମରୁଡି ପ୍ରଭାବିତ ଘୋଷଣା କରି ନଥିବା ନେଇ ବିଜେପି ଅଭିଯୋଗ କରିଛି ।
ଏନେଇ ବିଜେପିର ଏକ ପାଞ୍ଚ ଜଣିଆ ଟିମ୍ ମରୁଡି ଅଞ୍ଚଳ ଗସ୍ତ କରି ଉଚିତ ପଦକ୍ଷେପ ନେବାକୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରଙ୍କୁ ଦାବି କରିଛନ୍ତି । ପୂର୍ବତନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ବରେ କନ୍ଧମାଳ,ବୌଦ୍ଧ,ସୋନପୂର,ବଲାଙ୍ଗିର ପରେ କଳାହାଣ୍ଡି ଲୋକସଭା ଅଞ୍ଚଳ ପରିଦର୍ଶନ କରିଥିଲା ଟିମ୍ । ଏବେ ବିଜେପି ଟିମ୍ ନୂଆପଡାର ସିନାପାଲି,ଖଡିଆଳ,କୋମନା ବ୍ଲକର ବିଭିନ୍ନ ଗାଁକୁ ଯାଇ ଧାନ ବିଲରେ ବୁଲିବା ସହ ଚାଷୀଙ୍କ ସହ ଆଲୋଚନା କରିଛି । ଏହାପରେ ନୂଆପଡାଠା ରେ ଚାଷୀଙ୍କୁ ନେଇ ବୈଠକ କରିଛି ଦଳ । ଜିଲାରେ ଭୟାବହ ମରୁଡି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଜିଲାକୁ ମରୁଡି ପ୍ରଭାବିତ ଘୋଷଣା କରନ୍ତୁ ବୋଲି ଦଳ ଦାବି କରିଛି ।
