ଭାରସାମ୍ୟ ହରାଇ ଗଛରେ ପିଟି ହେଲା ସ୍କୁଟି, ନାବାଳକ ମୃତ
ରାୟଗଡା : ରାୟଗଡା ଜିଲା ମୁନିଗୁଡା ଥାନା ଅନ୍ତର୍ଗତ ହାଟମୁନିଗୁଡା ଓ ହୁକୁମତୋଳା ବାଇପାସ ରାସ୍ତାର ବଳରାମ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବିଷମକଟକରୁ ମୁନିଗୁଡା ଅଭିମୁଖେ ସ୍କୁଟିରେ ଯାଉଥିବା ବେଳେ ୨ ଆରୋହୀ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏଥିରେ ସ୍କୁଟି ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ହେଲେ ଥେରୁବାଲି ଅଞ୍ଚଳର ପବିତ୍ର ମହାନନ୍ଦିଆ । ସେ ନାବାଳକ ହୋଇଥିବା ଜଣାପଡିଛି । ଗୁରୁତର ଜଣକ ହେଲେ ବିଷମକଟକର ଅଗୁ ସୁରେଶ ।
ସୂଚନା ଯେ, ଏହି ଦୁଇ ଜଣ ଶୁକ୍ରବାର ରାତିରେ ବିଷମକଟକରୁ ମୁନିଗୁଡାକୁ କୌଣସି ଏକ କାମରେ ଆସୁଥିଲେ । ତେବେ ଭାରସାମ୍ୟ ହରାଇ ସ୍କୁଟିଟି ଗଛରେ ପିଟି ହୋଇଯାଇଥିଲା । ଶନିବାର ମର୍ଣ୍ଣିଂ ୱାକରେ ଯାଉଥିବା କିଛି ଲୋକ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ମୁନିଗୁଡା ଡାକ୍ତର ଖାନାକୁ ବ୍ୟବଛେଦ ପାଇଁ ପଠାଇଥିଲା । ଗୁରୁତର ସୁରେଶକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
