ଦୁଇ ଅନ୍ତରାଜ୍ୟ ଗଞ୍ଜେଇ ଚାଲାଣକାରୀ ଗିରଫ
- ୭୪ କେଜି ଗଞ୍ଜେଇ, କାର, ମୋବାଇଲ ଜବତ
ଝାରସୁଗୁଡା: ଏକ ଅନ୍ତରାଜ୍ୟ ଗଞ୍ଜେଇ ଚାଲାଣକାରୀ ଗ୍ୟାଙ୍ଗକୁ ଝାରସୁଗୁଡା ପୁଲିସ ଗିରଫ କରିବାରେ ସଫଳ ହୋଇଛି l ବିଜୁ ଏକ୍ସପ୍ରେସ ୱେ ନିଖିଳ ଢ଼ାବା ନିକଟରୁ ପୁଲିସ ଏହି ଗଞ୍ଜେଇ ଚାଲାଣକାରୀମାନଙ୍କୁ ଧରିଥିବାବେଳେ ତାଙ୍କ ନିକଟରୁ ୭୪ କେଜି ଗଂଜେଇ, ଏକ ହୋଣ୍ଡା ସିଟି କାର ଓ ୨ ଟି ମୋବାଇଲ ଜବତ କରିଛି l ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାଶ ସୂଚନା ଦେଇଛନ୍ତି l ଗିରଫ ବ୍ୟକ୍ତିମାନେ କଳାହାଣ୍ଡି ଜିଲ୍ଲା ଖଲିଆପାଲି ଗ୍ରାମର ଚିରଞ୍ଜିବି ନାଏକ(୩୪) ଏବଂ ବୁଡ଼ିଧର ଗ୍ରାମର ପୁରନ୍ଦର ମାଝୀ (୩୭) l

ସୂଚନା ଅନୁଯାୟୀ ଏହି ଅଭିଯୁକ୍ତମାନେ କୋରାପୁଟରୁ ଗଞ୍ଜେଇ କେଜି ପ୍ରତି ୨ ହଜାର ଟଙ୍କାରେ କିଣି ଆଲ୍ହାବାଦ, ବିଲାସପୁର, ନାଗପୁର, ରାଜସ୍ଥାନ ପରି ସ୍ଥାନରେ ୫ହଜାର ଟଙ୍କାରେ ବିକ୍ରି କରୁଥିଲେ l ତେବେ ଗତକାଲି ସେମାନେ ଝାରସୁଗୁଡା ଦେଇ ରାଜସ୍ଥାନ କୋଟାକୁ ଏହି ଗଞ୍ଜେଇ ଚାଲାଣ କରୁଥିବାବେଳେ ପୁଲିସ ଏକ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ନିଖିଳ ଢ଼ାବା ନିକଟରେ ନାକାବନ୍ଦି କରି ଯାନବାହାନ ଯାଞ୍ଚ କରିଥିଲା l ଅଭିଯୁକ୍ତମାନେ ତାଙ୍କ ହୋଣ୍ଡା ସିଟି କାର( ସିଜି ୧୦ଏଫ ୩୧୧୧)ରେ ଏକ ସିକ୍ରେଟ ଚେମ୍ବର ତିଆରି କରି ୩ଟି ବେଗରେ ୭୪ କେଜି ଗଞ୍ଜେଇ ଭର୍ତି କରି ଚାଲାଣ କରୁଥିଲେ l ପୁଲିସ ଯାଞ୍ଚ କରି ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ରେଶମା ଟେଟେଙ୍କ ଉପସ୍ଥିତିରେ ଏହି ଗଞ୍ଜେଇକୁ ଜବତ କରିବାସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି l ଏହି ଗଞ୍ଜେଇ ଚାଲାଣରେ ସମ୍ପୃକ୍ତଥିବା ଅନ୍ୟ ବ୍ୟକ୍ତିମାନଙ୍କୁ ପୁଲିସ ଧରିବା ପାଇଁ ଅଧିକ ତଦନ୍ତ ଚଳାଇଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି l
