ଆଜି ମହାପ୍ରଭୁଙ୍କ କାଳୀୟଦଳନ ବେଶ ନୀତି
ପୁରୀ : ଆଜି ଭାଦ୍ରବ କୃଷ୍ଣ ଏକାଦଶୀ । ଏହି ଅବସରରେ ଶୁକ୍ରବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳୀୟଦଳନ ବେଶ ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ପରେ ରତ୍ନ ସିଂହାସନ ଉପରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କାଳୀୟଦଳନ ବେଶରେ ସୁସଜ୍ଜିତ କରାଯିବ । ଏହି ବେଶରେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର କାଷ୍ଠ ନିର୍ମିତ ବେତ, ସୂତା ଓ କନାରେ ପ୍ରସ୍ତୁତ ପ୍ରାୟ ୩୦ ଫୁଟ ଲମ୍ୱର ବିରାଟକାୟ ସପ୍ତଫେଣିଆ କାଳୀୟ ସର୍ପକୁ ରତ୍ନସିଂହାସନ ଉପରକୁ ନିଆଯାଇଥାଏ । ଫେଣିଆ ମସ୍ତକ ଶ୍ରୀ ଜଗନ୍ନାଥଙ୍କ ଶ୍ରୀପୟର ତଳେ ଓ ଅବଶିଷ୍ଟ ଅଂଶ ଠାକୁରଙ୍କ ସମସ୍ତ ଶରୀରକୁ ଆବୃତ୍ତ କରି ରଖାଯାଏ। ଦେବୀ ସୁଭଦ୍ରାଙ୍କୁ ସାଧାରଣ ବେଶରେ ଓ ଶ୍ରୀ ବଳଭଦ୍ରଙ୍କ ଦୁଇ ପାର୍ଶ୍ୱରେ ଗୋଟିଏ ଲେଖାଏଁ କାଷ୍ଠ ନିର୍ମିତ ଗାଇ ବାଛୁରୀ ରଖାଯାଇଥାଏ । ଠାକୁରଙ୍କ ଶ୍ରୀମୁଖରେ କନାରେ ପ୍ରସ୍ତୁତ ପଦ୍ମବଳା ଓ ମସ୍ତକରେ ଚୂଳ ଖଞ୍ଜାଯାଇ ସୁବର୍ଣ୍ଣକିଆ ଲଗା ଯାଇଥିଲା। ଶ୍ରୀଜଗନ୍ନାଥ ବଲ୍ଳଭ ମଠରୁ ଯୋଗା ଯାଇଥିବା ଅମୃତ ଲଡୁ ପ୍ରଭୁଙ୍କୁ ଅର୍ପଣ କରାଯାଇଥିଲା। କାଳୀୟଦଳନ ବେଶ ସନ୍ଧ୍ୟାଧୂପ ଶେଷ ପର୍ଯ୍ୟନ୍ତ ରହିଥିଲା। ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଯମୁନାନଦୀ ତଟ ନିକଟସ୍ଥ କାଳନ୍ଦୀହ୍ରଦରେ ଶ୍ରୀକୃଷ୍ଣ କାଳୀୟଦଳନ ଲୀଳା କରିଥିଲେ। ଏହାର ସ୍ମାରକୀ ସ୍ୱରୂପ ପ୍ରତିବର୍ଷ ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କୁ କାଳୀୟଦଳନ ବେଶ କରାଯାଇ ଆସୁଛି। ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରୁ ଷୋଡ଼ଶ ଶତାବ୍ଦୀରୁ ଶ୍ରୀମନ୍ଦିରରେ ଏହି ବେଶ କରାଯାଉଥିବା ଗବେଷକ ମତ ଦିଅନ୍ତି। ମହାପ୍ରଭୁଙ୍କ କାଳୀୟଦଳନ ବେଶ ଦର୍ଶନ ସହ ଅମୃତ ଲଡୁ ଭୋଗ ଭକ୍ଷଣ କଲେ ସର୍ପଦଂଶନ ଦୋଷରୁ ମୁକ୍ତି ମିଳେବୋଲି ବିଶ୍ୱାସ ରହିଛି। ଶୁକ୍ରବାର ମହାପ୍ରଭୁଙ୍କୁ ପ୍ରଳମ୍ବାସୁର ବଧ ବେଶ କରାଯିବା କାର୍ଯ୍ୟକ୍ରମ ରହିଛି।
ଆଜି କାଳୀୟଦଳନ ଏକାଦଶୀରେ ଆଜ୍ଞାମାଳ ପାଇ ଶ୍ରୀମଦନମୋହନ, ରାମ କୃଷ୍ଣ ଲୋକନାଥ ରୋଡ ସ୍ଥିତ ଲବଣୀ ଖିଆ ମଣ୍ଡପକୁ ଯାଇଥାନ୍ତି । ସେଠାରେ ମହାଭୋଇ (ଗଉଡ଼) ସେବକ ଘର ବୋହୂମାନେ ଠାକୁରଙ୍କୁ ବନ୍ଦାପନା କରିବା ସହ ଲବଣୀ ଖୁଆଇଥାନ୍ତି । ଏହି ଦିନ ମହାପ୍ରଭୁଙ୍କୁ କେବଳ ମହାଭୋଇ (ଗଉଡ଼) ଘର ବୋହୂମାନେ ସେବା କରିପାରିଥାନ୍ତି । ସେମାନେ ସେବା କରିବା ପୂର୍ବରୁ ଗୀତ ଗୋବିନ୍ଦ ଖଣ୍ଡୁଆ ପରିଧାନ କରିଥାନ୍ତି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରି ଭିତରେ ପାଣି ପଡ଼ିଲେ ଓ ଦକ୍ଷିଣ ଘର ଭୋଗ ସରିଲେ ଶ୍ରୀମଦନମୋହନ ଓ ରାମକୃଷ୍ଣ ରତ୍ନ ସିଂହାସନକୁ ବିଜେ କରନ୍ତି । ପୂଜାପଣ୍ଡା ତିନି ମୂର୍ତ୍ତିଙ୍କୁ ଆଜ୍ଞାମାଳ ଦେବା ପରେ (ମହାଜନେ) ପୁଷ୍ପାଳକଙ୍କ ହାତରେ ବିଜେ ହୋଇ ଝୁଲଣ ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିରାଜିତ ହୋଇଥାନ୍ତି । ତତ୍ପରେ ବଡ଼ଦେଉଳକୁ ବେଢାଏ ବୁଲି ଲୋକନାଥ ରୋଡ୍ ସ୍ଥିତ ଲବଣୀଖିଆ ମଣ୍ଡପକୁ ବିଜେ କରନ୍ତି ଓ ବନ୍ଦାପନା, ଶୀତଳ ଭୋଗ ଇତ୍ୟାଦି ନୀତି ସମାପନ ପରେ ମାର୍କଣ୍ଡ ପୁଷ୍କରିଣୀଠାରେ କାଳୀୟଦଳନ ଲୀଳା ହୁଏ । ସେଠାରେ ଶୀତଳ ଭୋଗ ଓ ବନ୍ଦାପନା ହୋଇ ବାହୁଡା ବିଜେ ପୂର୍ବକ ଶ୍ରୀମନ୍ଦିରର ଜୟ ବିଜୟ ଦ୍ୱାର ଠାରେ ଏକାଦଶୀ ଭୋଗ ଓ ବନ୍ଦାପନା ହୋଇ ଦକ୍ଷିଣୀ ଘରକୁ ବିଜେ କରନ୍ତି । ପରେ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାଡ଼ରେ କାଳୀୟଦଳନ ବେଶ ହୁଏ । ବେଶ ହୋଇ ସନ୍ଧ୍ୟାଧୂପ ପାଣି ପଡ଼ିଲା ପରେ ଜଗନ୍ନାଥ ବଲ୍ଲଭ ମଠରୁ ଆସିଥିବା ବଡ଼ ଅମୃତ ଲଡୁ ଖୁଣ୍ଟିଆ ସେବକଙ୍କଠାରୁ ନେଇ ପୁଷ୍ପାଳକ ଶ୍ରୀହସ୍ତରେ ଲାଗି କରନ୍ତି । ମଧ୍ୟାହ୍ନ ଧୂପ ପରେ ରତ୍ନ ସିଂହାସନ ଉପରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କାଳୀୟଦଳନ ବେଶରେ ସୁସଜ୍ଜିତ କରାଯାଇଥାଏ । ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର କାଷ୍ଠ ନିର୍ମିତ ଶ୍ରୀଭୁଜ ଓ ଶ୍ରୀପୟର ଯୁକ୍ତ ହୋଇଥାନ୍ତି । ବେଶ ପୂର୍ବରୁ ଦରଜି ଓ ମହାରଣା, ଚିତ୍ରକାର ଓ ସୋଲ ଶିଳ୍ପୀମାନଙ୍କ ଦ୍ୱାରା ବେତ, ସୂତା ଓ କନାରେ ପ୍ରସ୍ତୁତ ପ୍ରାୟ ୩୦ ଫୁଟ୍ ଲମ୍ବର ଏକ ବିରାଟକାୟ ସପ୍ତ ଫେଣିଆ କାଳୀୟ ସର୍ପ ବା ନାଗଟି ଚାରିଟି ଅଂଶରେ ବିଭକ୍ତ ଅଟେ । ୨ଟି ଅଂଶ ଗଣ୍ଡି, ୧ଟି ଅଂଶ ମୁଣ୍ଡ ଓ ୧ଟି ଅଂଶ ଲାଞ୍ଜ । ସର୍ପଟିର ସମଗ୍ର ଶରୀର କଳା କନାରେ ଆବୃତ ହୋଇଥିବାବେଳେ ଶରୀରର କାତିଗୁଡ଼ିକ ନିମନ୍ତେ ଧଳା କନା ବ୍ୟବହୃତ ହୋଇଥାଏ । ସର୍ପଟିର ଏହି ୪ଟି ଅଂଶ ପୁଷ୍ପାଳକ ସେବକମାନଙ୍କଦ୍ୱାରା ରତ୍ନ ସିଂହାସନ ଉପରକୁ ଯାଇଥାଏ । ସେଠାରେ ସମ୍ପୂର୍ଣ୍ଣ ଶରୀରଟିକୁ ଖଞ୍ଜାଯାଇ ସପ୍ତ ଫେଣିଆ ମସ୍ତକଟି ଶ୍ରୀଜଗନ୍ନାଥଙ୍କ ଶ୍ରୀପୟର ତଳେ ରଖାଯାଏ ଓ ଅବଶିଷ୍ଟ ଅଂଶ ଠାକୁରଙ୍କ ସମଗ୍ର ଶରୀରକୁ ଆବୃତ କରି ଅର୍ଥାତ୍, ଉପର ଦେଇ ବାମ ହସ୍ତରେ ପୁଚ୍ଛଟି (ଲାଞ୍ଜ) ରହିଥାଏ । ସୁଭଦ୍ରା ଦେବୀ ସାଧାରଣ ବେଶ ଧାରଣ କରିଥାନ୍ତି । ଶ୍ରୀବଳଭଦ୍ରଙ୍କ ଦୁଇ ପାର୍ଶ୍ବରେ ଗୋଟିଏ ଲେଖାଏଁ ଗାଈ, ବାଛୁରୀ (କାଷ୍ଠ ନିର୍ମିତ) ଦଣ୍ଡାୟମାନ ଭଙ୍ଗୀରେ ରହିଥାନ୍ତି ।
