ଜାତୀୟ କ୍ରୀଡ଼ା ଦିବସ
କିମ୍ବଦନ୍ତୀ ହକି ଖେଳାଳୀ ସ୍ୱର୍ଗତ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିବସ ଅଗଷ୍ଟ ୨୯କୁ ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ମନ୍ତ୍ରଣାଳୟ ପ୍ରତିବର୍ଷ ଜାତୀୟ କ୍ରୀଡ଼ା ଦିବସ ପାଳନ କରୁଛନ୍ତି । ୧୯୯୫ ମସିହା ଠାରୁ ପ୍ରତ୍ୟେକ ବର୍ଷ ଅଗଷ୍ଟ ୨୯କୁ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳିତ ହେଉଛି । ଏହି ଦିନ ଭାରତର ରାଷ୍ଟ୍ରପତି କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ବିଭିନ୍ନ ପୁରସ୍କାର ପ୍ରଦାନ କରିଥାନ୍ତି । ଏହି ଦିନରେ ପ୍ରତିବର୍ଷ କ୍ରୀଡ଼ା ଜଗତରେ ଉନ୍ନତ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଖେଳରତ୍ନ ବ୍ୟତୀତ ଅର୍ଜୁନ ଏବଂ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଦିଆଯାଇଥାଏ । ଭାରତର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନର ନାମ ଏବେ ମେଜର ଧ୍ୟାନଚାନ୍ଦଙ୍କ ନାମରେ ନାମିତ ହୋଇଛି । ଭାରତୀୟ ହକିଟିମ ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ଭଲ ପ୍ରଦର୍ଶନ କରିବା ପରେ ସରକାର ମହାନ ଖେଳାଳିଙ୍କ ନାମରେ ଏହି ପୁରସ୍କାର ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଧ୍ୟାନଚାନ୍ଦଙ୍କ ଅଭିଜ୍ଞତାର ଯାତ୍ରା ଭାରତୀୟ କ୍ରୀଡ଼ା ଇତିହାସକୁ ଗୌରବାନ୍ୱିତ କରିଥାଏ । ଲଗାତାର ତିନି ଥର ଅଲିମ୍ପିକ୍ସ (୧୯୨୮ ଆମ୍ସଟର୍ଡମ, ୧୯୩୨ ଲସଏଞ୍ଜେଲେସ ଓ ୧୯୩୬ ବର୍ଲିନ)ରେ ଭାରତକୁ ହକିର ସ୍ୱର୍ଣ୍ଣପଦକ ଦେବାରେ ଧ୍ୟାନଚାନ୍ଦଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ।
ଆଜିର ଦିନରେ ୧୯୦୫ ମସିହାରେ ହକିର ଯାଦୁଗର କୁହାଯାଉଥିବା ଧ୍ୟାନଚାନ୍ଦଙ୍କ ଜନ୍ମ ହୋଇଥିଲା । ତାଙ୍କର ଜନ୍ମଦିନକୁ ଭାରତର ରାଷ୍ଟ୍ରୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି । ଧ୍ୟାନଚାନ୍ଦଙ୍କ ପିତାଙ୍କ ନାଁ ଶମେଶ୍ୱର ସିଂହ ଏବଂ ମା ହେଉଛନ୍ତି ଶାରଦା ସିଂହ। ଧ୍ୟାନଚାନ୍ଦଙ୍କ ପିତା ବ୍ରିଟିଶ ଭାରତୀୟ ସେନାରେ ଭର୍ତ୍ତି ଥିଲେ ଏବଂ ସେ ସେନା ପକ୍ଷରୁ ହକି ଖେଳୁଲେ। ଧ୍ୟାନଚାନ୍ଦଙ୍କର ଦୁଇ ଭାଇ ଥିଲେ। ସେମାନେ ହେଲେ ମୂଲ ସିଂହ ଏବଂ ରୂପ ସିଂହ। ତାଙ୍କ ଭାଇ ରୂପ ସିଂହ ମଧ୍ୟ ଭାରତ ପକ୍ଷରୁ ହକି ଖେଳିସାରିଛନ୍ତି। ଆରମ୍ଭରୁ ଧ୍ୟାନଚାନ୍ଦଙ୍କୁ ହକି ପ୍ରତି ସେତେଟା ଆଗ୍ରହ ନଥିଲା, କାରଣ ସେ କୁସ୍ତିକୁ ବହୁତ ପସନ୍ଦ ଥିଲା। ୨୯ ଅଗଷ୍ଟ, ୧୯୨୨ରେ ନିଜର ୧୭ତମ ଜନ୍ମଦିବସରେ ଧ୍ୟାନଚାନ୍ଦ ବ୍ରିଟିଶ ଭାରତୀୟ ସେନାରେ ସାମିଲ୍ ହୋଇଥିଲେ। ଏହା ପରେ ସେ ୧୯୨୨ରୁ ୧୯୨୬ ଭିତରେ ଆର୍ମି ହକି ଟୁର୍ଣ୍ଣାମେଣ୍ଟ ଓ ରେଜିମେଣ୍ଟାଲ୍ ଗେମ୍ସ ଖେଳିବା ଜାରି ରହିଥିଲେ। ଏହା ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ତାଙ୍କୁ ଭାରତୀୟ ସେନା ଟିମ୍ ପାଇଁ ମନୋନୀତ କରାଯାଇଥିଲା। ଏହି ଗସ୍ତରେ ଟିମ୍ ଭଲ ପ୍ରଦର୍ଶନ କରି ୧୮ ମ୍ୟାଚ୍ ଜିତିଥିବା ବେଳେ ୨ଟି ଡ୍ର’ ଏବଂ ଗୋଟିଏରେ ପରାସ୍ତ ହୋଇଥିଲା। ଭାରତ ଫେରିବା ପରେ ଧ୍ୟାନଚାନ୍ଦଙ୍କୁ ୧୯୨୭ରେ ଲାନ୍ସ ନାୟକ ଭାବେ ପ୍ରମୋଟ୍ କରାଯାଇଥିଲା। ୧୯୩୨ରେ ଧ୍ୟାନଚାନ୍ଦ ଭିକ୍ଟୋରିଆ କଲେଜରୁ ଗ୍ରାଜୁଏସନ୍ କରିଥିଲେ।
ଜନ୍ମ ପରେ ମାତାପିତା ନାଁ ଦେଇଥିଲେ ଧ୍ୟାନ ସିଂହ। ହେଲେ ସେ ଧ୍ୟାନ ଚାନ୍ଦ ଭାବେ ବିଶ୍ବ ବିଖ୍ୟାତ ହୋଇଥିଲେ (ଜାହାର କାରଣ ପାର୍ଶ୍ବରେ ବର୍ଣ୍ଣନା କରି ସାରିଛୁ)। ପିତା ସମସେର ସିଂହ ଜଣେ ହକି ଖେଳାଳି ଥିବାରୁ ତାଙ୍କଠାରୁ ହିଁ ହକିର ମୌଳିକ କଳା ଶିଖିଥିଲେ ଧ୍ୟାନ। ତାଙ୍କ ସହ ସାନ ଭାଇ ରୁପ୍ ସିଂହ ମଧ୍ୟ ହକି ପ୍ରେମରେ ପଡ଼ିଥିଲେ। ପିଲାବେଳେ କିନ୍ତୁ ଧ୍ୟାନ ହକି ନୁହେଁ କୁସ୍ତି ପ୍ରତି ଅଧିକ ଆକର୍ଷିତ ଥିଲେ। ୧୭ ବର୍ଷ ବ୍ରିଟିସ୍ ଇଣ୍ଡିଆ ସେନାରେ ଯୋଗଦେବା ପରେ ହିଁ ହକି ତାଙ୍କ ପାଇଁ ପେସା ଓ ନିଶାରେ ପରିଣତ ହୋଇଥିଲା। ଦିନ ସାରା ନିଜ ବୃତ୍ତିଗତ କର୍ମ ସଂପାଦନ କରିବା ପରେ ଜହ୍ନ ଆଲୁଅରେ ହକି ଅଭ୍ୟାସ କରି ସେ ନିଜ କ୍ରୀଡ଼ା ଦକ୍ଷତାକୁ ବହୁଗୁଣ ବଢ଼ାଇଥିଲେ। ହକି ଜଗତରେ ଧ୍ୟାନଚାନ୍ଦ ଏଭଳି ଲୋକପ୍ରିୟତା ହାସଲ କରିଥିଲେ ଯେ ଭିଏନାଠାରେ ତାଙ୍କର ଚାରିଟି ହାତ ଥିବା ଏକ ପ୍ରତିମୂର୍ତି ସ୍ଥାପିତ ହୋଇଥିଲା। କାରଣ ସେଠାକାର ହକି ପ୍ରେମୀ ବିଶ୍ବାସ କରୁଥିଲେ କୌଣସି ଖେଳାଳି ଦୁଇଟି ହାତରେ ଏଭଳି ଅସାଧାରଣ ହକି ଖେଳି ପାରିବ ନାହିଁ। ମହାନ କ୍ରିକେଟର ଡନ୍ ବ୍ରାଡମ୍ୟାନ୍ ଧ୍ୟାନଚାନ୍ଦଙ୍କ ଖେଳରେ ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ। ସେଥିପାଇଁ ଧ୍ୟାନଚାନ୍ଦଙ୍କୁ ପ୍ରଶଂସା କରି ବ୍ରାଡମ୍ୟାନ୍ ଏକଦା କହିଥିଲେ ‘ଧ୍ୟାନଚାନ୍ଦ କ୍ରିକେଟ୍ରେ ରନ୍ କଲା ଭଳି ଗୋଲ୍ କରୁଛନ୍ତି’। ହଲାଣ୍ଡରେ ଆୟୋଜିତ ଏକ ପ୍ରତିଯୋଗିତା ଅବସରରେ ଆୟୋଜକ ତାଙ୍କ ଷ୍ଟିକ୍ ଭାଙ୍ଗି, ତା ଭିତରେ ଚୁମ୍ବକ ଅଛି କି ନାହିଁ ବୋଲି ପରଖି ଥିଲେ। ୩୫୮ ଅତୀତ ଏବଂ ବର୍ତମାନର ଅଲିମ୍ପିକ୍ସ ହିରୋଙ୍କ ସହ ଲଣ୍ଡନର ଏକ ଭୂତଳ ରେଳଷ୍ଟେସନ୍ ଧ୍ୟାନଚାନ୍ଦଙ୍କ ନାଁରେ ନାମିତ ହୋଇଛି। କେବଳ ଧ୍ୟାନଚାନ୍ଦ ନୁହେଁ ତାଙ୍କ ପୁଅ ଅଶୋକ କୁମାର ମଧ୍ୟ ଭାରତୀୟ ହକିକୁ ଅତୁଳନୀୟ ସେବା ଦେଇଛନ୍ତି। ଅଶୋକ କୁମାର ୧୯୭୫ ମସିହାରେ ହକି ବିଶ୍ବକପ୍ ଜିତିଥିବା ଭାରତୀୟ ହକି ଦଳର ଅନ୍ୟତମ ସଦସ୍ୟ ଥିଲେ। ସଂଯୋଗବଶତଃ ଉଭୟ ପିତା-ପୁତ୍ର ଭାରତୀୟ ଦଳରେ ସେଣ୍ଟର ଫରୱାର୍ଡ ଭାବେ ଖେଳୁଥିଲେ। ଅଲିମ୍ପିକ୍ସ ପଦକ ସହ ବିଶ୍ବକପ୍ ଜିତିଥିବା ଧ୍ୟାନଚାନ୍ଦ ଓ ଅଶୋକ କୁମାର ଭାରତୀୟ ହକିର ପ୍ରଥମ ପିତା-ପୁତ୍ର । ଉଭୟ ମଧ୍ୟ ଅଲିମ୍ପିକ୍ସ ପଦକ ଜିତିବାର କୀର୍ତ୍ତିମାନ କରିଥିଲେ। ଧ୍ୟାନଚାନ୍ଦ ଲଗାତାର ତିନିଟି ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତିଥିଲା ବେଳେ ଅଶୋକ ୧୯୭୨ (ମ୍ୟୁନିକ) ଅଲିମ୍ପିକ୍ସରେ କାଂସ୍ୟ ପଦକ ହାସଲ କରିଥିଲେ।
