ଆଜି ଠାରୁ ପ୍ରଶାନ୍ତ ମହାସାଗରରେ ୪ ଦେଶର ମିଳିତ ସମରାଭ୍ୟାସ
ନୂଆଦିଲ୍ଲୀ : ଆଜି ଠାରୁ ପ୍ରଶାନ୍ତ ମହାସାଗରରେ ଆରମ୍ଭ ହେବ ମିଳିତ ସମରାଭ୍ୟାସ । ଚୀନକୁ ଚେକ୍ ଦେବେ ୪ ମହାଶକ୍ତି । ମାଲାବର ୨୧ ନାମରେ ଏହି ସମରାଭ୍ୟାସରେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ସେନା ଗୁରୁବାର ଠାରୁ ଆସନ୍ତା ୨୯ ତାରିଖ ଯାଏଁ ଏହି ସମରାଭ୍ୟାସ କରିବେ । ଯେଉଁଥିରେ କ୍ୱାଡିଲାଟ୍ରଲ ଡାଏଲର ବା ସମସ୍ତ ଚାରୋଟି ଦେଶ ସାମିଲ ହେବେ । ଏହି ୪ ଦେଶ ଗତବର୍ଷ ପ୍ରଥମ ଥର ପାଇଁ ମିଳିତ ଯୁଦ୍ଧାଭ୍ୟାସ କରିଥିଲେ । ତେବେ ମାଲାବର ୨୧ ନୌସନ୍ୟ ଅଭ୍ୟାସର ୨୫ ତମ ସଂସ୍କରଣ ହେବ । ଚୀନର ଆକ୍ରମଣାତ୍ମକ ନୀତି ବିରୋଧରେ ଏହି ଯୁଦ୍ଧାଭ୍ୟାସ ଖୁବ୍ ଗୁରୁତ୍ୱ ବହନ କରେ । ଏଥିରେ ବେଜିଂର ଚିନ୍ତା ବଢିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।
ଭାରତୀୟ ନୌସେନା ବୁଧବାର କହିଥିଲା ଯେ, ଯୁଦ୍ଧାଭ୍ୟାସରେ ସାମୁଦ୍ରିକ ସୁରକ୍ଷା ଉପରେ ଫୋକସ କରାଯିବ । ଦୁଇଟି ଯୁଦ୍ଧପୋତ, ଆଇଏନଏସ ଶିବାଲିସ ଓ ଆଇଏନଏସ କଦମତ, ପିଏ-୮୧ ଏୟାରକ୍ରାଫ୍ଟ ଓ ମାର୍କୋସ୍ କମାଣ୍ଡୋ ଯୁଦ୍ଧାଭ୍ୟାସରେ ସାମିଲ ହେବେ । ଆମେରିକାର ନାଭି ସିଲ୍ କମାଣ୍ଡୋ ମଧ୍ୟ ଯୁଦ୍ଧାଭ୍ୟାସ କରିବେ । ସୂଚନା ଯେ, ୧୯୯୨ରେ ମାଲାବର ସଂଯୁକ୍ତ ଅଭ୍ୟାସ ଆରମ୍ଭ ହୋଇଥିଲା । ଯାହା ପରଠୁ ଭାରତ ଓ ଆମେରିକୀୟ ସୈନ୍ୟଙ୍କ ମଧ୍ୟରେ ସହଯୋଗିତା ବୃଦ୍ଧି ପାଇଥିଲା । ୨୦୦୭ ପରଠୁ ଏଥିରେ ଜାପାନ, ସିଙ୍ଗାପୁର ଓ ଅଷ୍ଟ୍ରେଲିଆକୁ ସାମିଲ କରାଯାଇଥିଲା ।
