ରାଜ୍ୟରେ ଆଉ ୮୮୭ କରୋନା ସଂକ୍ରମିତ ଚିହ୍ନଟ
- ଗତ ୨୪ ଘଣ୍ଟାରେ ୦ରୁ ୧୮ ବର୍ଷର ୧୩୧ ଜଣ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ପରେ ଜୁଲାଇ ଏବଂ ଏବେ ଅଗଷ୍ଟ ମଧ୍ୟ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ବୁଧବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଗତ ୨୪ ଘଣ୍ଟା ମଧ୍ୟରେ ୮୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୧୫ ଓ ସ୍ଥାନୀୟ ଅଞ୍ଚଳରୁ ୩୭୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୩୧ଜଣ ପଜିଟିଭ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩ହଜାର ୨୧୦କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୨୭ ଜଣ ଥିବାବେଳେ ବାଲେଶ୍ୱରରୁ ୫୬ ଜଣ, ବରଗଡ଼ରୁ ୯ ଜଣ, ଭଦ୍ରକରୁ ୯ ଜଣ, ବୌଦ୍ଧରୁ ଜଣେ, କଟକରୁ ୧୧୯ଜଣ, ଦେବଗଡ଼ରୁ ୯ ଜଣ, ଢେଙ୍କାନାଳରୁ ୧୬ ଜଣ, ଗଜପତିରୁ ୩ ଜଣ, ଗଞ୍ଜାମରୁ ୨ ଜଣ, ଜଗତସିଂହପୁରରୁ ୩୭ ଜଣ, ଯାଜପୁରରୁ ୪୩ ଜଣ, ଝାରସୁଗୁଡ଼ାରୁ ୫ ଜଣ, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୧୫ ଜଣ, କେନ୍ଦୁଝରରୁ ୧୯ ଜଣ, କୋରାପୁଟରୁ ୪ଜଣ, ମାଲକାନଗିରିରୁ ୨ ଜଣ, ମୟୁରଭଞ୍ଜରୁ ୩୧ ଜଣ, ନବରଙ୍ଗପୁରରୁ ୨ଜଣ, ନୟାଗଡ଼ରୁ ୧୧ ଜଣ, ନୂଆପଡ଼ାରୁ ୩ଜଣ, ପୁରୀରୁ ୩୯ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ୱଲପୁରରୁ ୨୧ ଜଣ, ସୁନ୍ଦରଗଡ଼ରୁ ୭ ଜଣ ଓ ରାଜ୍ୟ ପୁଲରୁ ୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୧୦,୦୩,୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯,୮୭,୩୬୯ ଜଣ ସୁସ୍ଥ ହୋଇଥିବା ବେଳେ ୮,୨୨୬ ଜଣ ସକ୍ରିୟ ମାମଲା ରହିଛି । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧,୭୬,୬୬,୭୪୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।
