ବାରହା ମାଂସ ବିକ୍ରି ବେଳେ ୩ ଶିକାରୀ ଗିରଫ
କେନ୍ଦୁଝର : ଜଙ୍ଗଲୀ ବାରହା ଶିକାର କରି ମାଂସ ବିକୁଥିବା ବେଳେ ୩ ଶିକାରୀ ଗିରଫ । ଏପରି ଏକ ଘଟଣା କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ବିଜେପି ରେଞ୍ଜ ଗୁପ୍ତଗଙ୍ଗା ଗ୍ରାମରେ ଦେଖିବାକୁ ମିଳିଛି । ଶିକାରୀମାନେ ମାଂସ ବିକୁଥିବା ବେଳେ ବନ ବିଭାଗ ଟିମ ଚଢ଼ାଉ କରି ଅଧା କେଜି ମାଂସ ଜବତ ସହ ୩ ଜଣଙ୍କୁ ଗିରଫ କରିଛି।
ସୂଚନା ଯେ, ଗୁପ୍ତଗଙ୍ଗା ଗ୍ରାମର ଜୟଦେବ ଜୁଆଙ୍ଗ, ସାଧବ ଜୁଆଙ୍ଗ, ନିଶାକାର ଜୁଆଙ୍ଗ ଗାଁ ନିକଟସ୍ଥ ଜଙ୍ଗଲରେ ଫାସ ପକାଇ ବାରହା ଶିକାର କରି ବାରହା ମାଂସକୁ ଗାଁରେ ବିକ୍ରି କରୁଥିଲେ। ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ ବିଜେପି ରେଞ୍ଜର ରେଞ୍ଜର ମାନସ କୁମାର ମୁର୍ମୁ,ବନପାଳ ଶରତ ପଟ୍ଟନାୟକ, ଶିବ ନାରାୟଣ ଦେବ, ବନରକ୍ଷୀ ସରୋଜ ନାଏକ, ସନ୍ତୋଷ ବେହେରା ଓ କାଞ୍ଜିପାଣି ପୁଲିସ ପହଞ୍ଚି ୩ ଶିକାରୀଙ୍କୁ ମାଡ଼ି ବସିଥିଲେ। ଶିକାରୀମାନେ ସବୁ ମାଂସ ବିକ୍ରି କରି ସାରି ଦେଇଥିବା ବେଳେ ପାଖରେ ଥିବା ଅଧ କେଜି ମାଂସ ଓ ଟାଙ୍ଗିଆ, ଫାର୍ସା, ଏକ କାଠ ଖୁଂଟଲିକୁ ଜବତ କରିଛି ବନ ବିଭାଗ ଟିମ୍। ଏନେଇ ଏକ ମାମଲା ରୁଜୁ କରି ୩ ଶିକାରୀଙ୍କୁ କୋର୍ଟଚାଲାଣ କରାଯିବା ସହ ଶିକାରରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ବୋଲି ରେଞ୍ଜର ମାନସ କୁମାର ମୁର୍ମୁ କହିଛନ୍ତି।
