ଭାରତ ଉପରେ ଆକ୍ରମଣ ପାଇଁ ତାଲିବାନର ସହାୟତା ଲୋଡିଲା ହିଜବୁଲ ମୁଜାହିଦ୍ଦିନ
- ଭାରତ ପ୍ରତି ବିପଦ ଥିବା ଏକ ଅଡିଓ ବାର୍ତ୍ତା ଜାରି
କାବୁଲ : ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ ପରେ ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ବେଶ ଉତ୍ସାହିତ ହୋଇ ପଡିଛି । ଏନେଇ ସଂଗଠନର ମୁଖ୍ୟ ସୟଦ ସଲାହୁଦ୍ଦିନ ଭାରତ ପ୍ରତି ବିପଦ ଥିବା ଏକ ଅଡିଓ ବାର୍ତ୍ତା ଜାରି କରିଛନ୍ତି। ଏହି ଅଡିଓ ବାର୍ତ୍ତାରେ ସେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦ କାର୍ଯ୍ୟକଳାପର ବିସ୍ତାର କରିବାରେ ସହାୟତା ପାଇଁ ତାଲିବାନ ଆତଙ୍କବାଦୀଙ୍କୁ ଅନୁରୋଧ କରିଛନ୍ତି। ଭାରତ ଉପରେ ଆକ୍ରମଣ କରିବା ପାଇଁ ସେମାନେ ତାଲିବାନ ସହାୟତା ଲୋଡିଛନ୍ତି। ଅନଲାଇନରେ ପୋଷ୍ଟ କରାଯାଇଥିବା ଏହି ବାର୍ତ୍ତାରେ ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାହୁଦ୍ଦିନ କହିଛନ୍ତି ଯେ, ମୁଁ ଆଲ୍ଲାହାଙ୍କୁ ପ୍ରାର୍ଥନା କରୁଛି ଯେ ସେ ଆଫଗାନିସ୍ତାନର ଇସଲାମ ସାମ୍ରାଜ୍ୟକୁ ସୁଦୃଢ କରନ୍ତୁ ଯାହା ଦ୍ୱାରା ସେମାନେ ଭାରତ ବିରୁଦ୍ଧରେ କାଶ୍ମୀରବାସୀଙ୍କୁ ସମର୍ଥନ କରିପାରିବେ। ଭାରତ ଉପରେ ଆକ୍ରମଣ କରିବା ପାଇଁ ସେମାନଙ୍କ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ସଲାହୁଦ୍ଦିନ କହିଛନ୍ତି।
ଇତି ମଧ୍ୟରେ ତାଲିବାନର ଆଶ୍ବାସନ ସତ୍ତ୍ୱେ ଆଫଗାନିସ୍ତାନ ଏବଂ ବିଦେଶୀମାନେ କାବୁଲରୁ ପଳାୟନ ଜାରି ରଖିଛନ୍ତି । ତାଲିବାନ ଜର୍ମାନର ଜଣେ ସରକାରୀ ସାମ୍ବାଦିକଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରିବା ପରେ ଜାତିସଂଘର ଗୁପ୍ତଚର ରିପୋର୍ଟରେ କୁହାଯାଇଛି ଯେ ତାଲିବାନୀମାନେ ବିରୋଧୀ ଏବଂ ସେମାନଙ୍କ ପରିବାରକୁ ଘର ଘର ବୁଲି ଖୋଜୁଛନ୍ତି। କାବୁଲ ବିମାନବନ୍ଦରକୁ ଯିବା ବାଟରେ ଜଣେ ଜର୍ମାନ ନାଗରିକଙ୍କୁ ମଧ୍ୟ ଗୁଳି ଚଳାଇ ହତ୍ୟା କରାଯାଇଛି। ତେବେ କାଶ୍ମୀର ଉପରେ ଏହାର ପ୍ରଭାବ ନେଇ ଭାରତର ସୁରକ୍ଷା ଅଧିକାରୀ ଆକଳନ କରୁଛି। ଆମେରିକା ସେନାର ପ୍ରସ୍ଥାନ ଏବଂ ତାଲିବାନର ଆବିର୍ଭାବ, ୧୯୮୦ ଦଶକର ଶେଷ ଭାଗରେ ସୋଭିଏତ୍ ବିଭାଜନ ପରେ ଆଫଗାନିସ୍ତାନରେ ଯାହା ଘଟିଥିଲା, ତାହା କାଶ୍ମୀରରେ ଆତଙ୍କବାଦକୁ ପ୍ରଭାବିତ କରିପାରେ, ବିଶେଷ କରି ବର୍ତ୍ତମାନ ଭାରତ ପାକିସ୍ତାନ ଅପେକ୍ଷା ଚୀନ୍କୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି।
