ସୁନ୍ଦରଗଡ଼ରେ ହକି ଅଲିମ୍ପିଆନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ସୁନ୍ଦରଗଡ଼ : ଚଳିତବର୍ଷ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଚମତ୍କାର ପ୍ରଦର୍ଶନ କରିଛି । ବିଶେଷ କରି ଓଡ଼ିଶା ତଥା ସୁନ୍ଦରଗଡ଼ ପାଇଁ ସୁନାମ ଆଣିଥିବା ୪ ଚର୍ଚ୍ଚିତ ଖେଳାଳି ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ଦୀପଗ୍ରେସ ଏକ୍କା ଓ ସୁନିତା ଟପ୍ପୋ ଶନିବାର ଜନ୍ମମାଟିରେ ପହଞ୍ଚିଛନ୍ତି। ସେମାନଙ୍କ ସହ ପଦ୍ମଶ୍ରୀ ଦିଲୀପ ତିର୍କୀ ମଧ୍ୟ ପହଞ୍ଚିଛନ୍ତି । ଏନେଇ ଜିଲା ପ୍ରଶାସନ ଓ ସୁନ୍ଦରଗଡ଼ ବାସୀଙ୍କ ପକ୍ଷରୁ ସେମାନଙ୍କୁ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି।
ଵିମାନ ଯୋଗେ ମଧ୍ୟାହ୍ନ ୧୨ଟାରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ୪ ଖେଳାଳି ଓହ୍ଲାଇବା ପରେ ସୁନ୍ଦରଗଡ଼ ଜିଲା ପ୍ରଶାସନ ଓ କ୍ରୀଡ଼ା ଵିଭାଗ ଅଧିକାରୀମାନେ ସେମାନଙ୍କୁ ସ୍ୱାଗତ କରି ସୁନ୍ଦରଗଡ଼କୁ ଏକ ସ୍ୱତନ୍ତ୍ର କାରକେଡରେ ପାଛୋଟି ଆଣିଥିଲେ। ପାରିଜାତ ପାର୍କରେ ପହଞ୍ଚିବା ପରେ ଏକ ଖୋଲା ଜିପରେ ଦୁଲଦୁଲି ବାଜାର ତାଳେତାଳେ ବାଇକ ଶୋଭାଯାତ୍ରାରେ ହକିତାରକାମାନେ ସହର ପରିକ୍ରମା କରିଥିଲେ। ଅଲିମ୍ପିକ୍ ଖେଳିବା ପରେ ହକି ଖେଳାଳିମାନଙ୍କ ପ୍ରଥମ ସୁନ୍ଦରଗଡ଼ ଗସ୍ତ ଥିବାରୁ ସହରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ସହର ପରିକ୍ରମା ବେଳେ ରାସ୍ତାରେ ସୁନ୍ଦରଗଡ଼ ପଵ୍ଲିକ ସ୍କୁଲ ଓ ବିଭିନ୍ନ ଛକରେ ଭିନ୍ନ ଭିନ୍ନ ସଂଗଠନ ପକ୍ଷରୁ ସ୍ବାଗତ କରାଯାଇଥିଲା। ସହର ପରିକ୍ରମା ପରେ ଖେଳାଳିମାନଙ୍କୁ ସର୍କିଟ ହାଉସକୁ ନିଆଯାଇଥିଲା। ସେହିପରି ବିକାଶ ଭବନରେ ହକିତାରକାମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବା କାର୍ଯ୍ୟକ୍ରମ ରହିଛି। ଏହାପରେ ବିଶେଷ ବ୍ୟବସ୍ଥା ମଧ୍ୟରେ ଖେଳାଳିମାନେ ନିଜ ନିଜ ଜନ୍ମ ଗାଁକୁ ଯିବେ ବୋଲି ସୂଚନା ରହିଛି।
