‘ସର୍ବକ୍ଷମା’ ଘୋଷଣା କଲା ତାଲିବାନ
Taliban spokesperson Zabihullah Mujahid (C) gestures as he addresses the first press conference in Kabul on August 17, 2021 following the Taliban stunning takeover of Afghanistan. (Photo by Hoshang Hashimi / AFP)
- ମହିଳାଙ୍କୁ ମିଳିବ ସ୍ୱାଧୀନତା
- ଆଫଗାନିସ୍ତାନରୁ କୌଣସି ଦେଶ ପ୍ରତି ବିପଦ ନାହିଁ
କାବୁଲ : ଆଫଗାନିସ୍ତାନରେ ତାଲିବାନ ନିଜର ଅଧିକାର ସାବ୍ୟସ୍ତ ପରେ ଅଶାନ୍ତ ଓ ଭୟାକୁଳ ପରିସ୍ଥିତିକୁ ଶାନ୍ତ କରିବା ନିମନ୍ତେ ଦେଶ ସାରା ‘ସର୍ବକ୍ଷମା’ ଘୋଷଣା କରିଛନ୍ତି। ଏହା ସହିତ ମହିଳାମାନଙ୍କୁ ମଧ୍ୟ ସରକାରରେ ଭାଗ ନେବାକୁ ଆହ୍ବାନ କରିଛନ୍ତି। ତାଲିବାନ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦେଶର ଶାସନ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଅଣାଯିବ ବୋଲି ଘୋଷଣା କରାଯିବା ମହିଳାମାନଙ୍କୁ ସୁରକ୍ଷିତ ରଖିବା ଦିଗରେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ପୂର୍ବ ସରକାରରେ ଥିବା ସମସ୍ତ କର୍ମଚାରୀ ଏବଂ ସେନା ବାହିନୀ ସଦସ୍ୟଙ୍କୁ କ୍ଷମା କରାଯାଇଛି। ଆମେ କାହାରି ଉପରେ ପ୍ରତିଶୋଧ ନେବୁନାହିଁ କି ଆଫ୍ଗାନ ମାଟିକୁ ଅନ୍ୟ ଦେଶ ବିରୋଧରେ ବ୍ୟବହାର ହେବାକୁ ଦେବୁନାହିଁ ବୋଲି ତାଲିବାନ ପ୍ରବକ୍ତା କହିଛନ୍ତି। ୨୦ ବର୍ଷର ଦୀର୍ଘ ଲଢ଼େଇ ପରେ ଏବେ ଦେଶବାସୀ ମୁକ୍ତିର ଆନନ୍ଦ ଅନୁଭବ କରୁଛନ୍ତି। ମହିଳାଙ୍କ ସ୍ବାଧୀନତା ପ୍ରସଙ୍ଗରେ ତାଲିବାନ ପ୍ରବକ୍ତା କହିଛନ୍ତି, କେବଳ ଶାରିଆ ଆଇନ ଅଧୀନରେ ଯଥାସମ୍ଭବ ସ୍ବାଧୀନତା ମିଳିବ ଏବଂ ଏହା କାର୍ଯ୍ୟକାରୀ ହେଲେ ମହିଳା ମାନେ ଖୁସିରେ ରହିପାରିବେ ଏବଂ ଆମେ ମଧ୍ୟ ଖୁସିରେ ରହିବୁ।
ଆଜି କାବୁଲରେ କୌଣସି ବଡ଼ ହିଂସା ବା ଆକ୍ରମଣର ଖବର ନାହିଁ। ତେବେ ସବୁ ଅଂଚଳରେ ଭୟ ଓ ଆତଙ୍କର ବାତାବରଣ ଲାଗି ରହିଛି। ଖାଲି ପଡ଼ିଥିବା ଦୂତାବାସଗୁଡ଼ିକରେ ତାଲିବାନ ଯୋଦ୍ଧାମାନେ ଆଡ଼ା ଜମାଇଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ତାଲିବାନ ଶାସନରେ ଏହାର ସଦସ୍ୟମାନେ ଲୋକଙ୍କୁ ହତ୍ୟା କରୁଥିଲେ, ଲୁଟୁଥିଲେ ଓ କୁମାରୀ ଝିଅମାନଙ୍କୁ ଜୋର ଜବରଦସ୍ତ ଧରିନେଉଥିଲେ। ତେଣୁ ଲୋକମାନଙ୍କ ମନରୁ ଭୟ ଦୂର ହୋଇ ନାହିଁ। ସେମାନେ ପ୍ରାୟତଃ ଭୟରେ ଘର ଭିତରେ ରହୁଛନ୍ତି। ତେଣୁ ଲୋକଙ୍କ ମନରୁ ଭୟ ଦୂର କରିବା ପାଇଁ ତାଲିବାନ ପକ୍ଷରୁ କୁହାଯାଇଛି ଯେ ଇସ୍ଲାମିକ୍ ଏମିରେଟ୍ ମହିଳାମାନଙ୍କୁ ପୀଡ଼ା ଦେବାକୁ ଚାହେଁ ନାହିଁ। ସେମାନେ ଶାରିଆ ନିୟମାନୁସାରେ ସରକାରରେ ବି ଭାଗ ନେଇପାରିବେ। ତେବେ ସରକାରର ରୂପରେଖ କିପରି ହେବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଦେଶରେ ଇସ୍ଲାମିକ୍ ନେତୃତ୍ବ ରହିବ ଏବଂ ସବୁ ପକ୍ଷ ସରକାରରେ ଯୋଗ ଦେବେ। ପୂର୍ବ ସରକାରର ଅଂଶୀଦାର ରୂପେ କାହାକୁ ଦଣ୍ଡ ଦିଆଯିବ ନାହିଁ ବୋଲି ତାଲିବାନ କହିଛି।
