ଦେଶରେ ପୁଣି ମୌସୁମୀ ସକ୍ରିୟ : ଆଇଏମଡି
ନୂଆଦିଲ୍ଲୀ : ଦେଶରେ ପୁଣି ସକ୍ରିୟ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ସୂଚନା ଦେଇଛନ୍ତି। ଏଣୁ ଦେଶରେ ପୁଣି ବର୍ଷା ଗତିବିଧି ବଢ଼ିବ ବୋଲି ଆଇଏମଡି ଆଶାବ୍ୟକ୍ତ କରିଛନ୍ତି। ଜୁଲାଇ ଦ୍ୱିତୀୟ ସପ୍ତାହ ପରଠାରୁ ଦେଶରେ ବର୍ଷା ପ୍ରାୟ ଛାଡି ଯାଇଥିଲା। ମୌସୁମୀ ଦୁର୍ବଳ ହୋଇ ପଡିବାରୁ ଉପୁଜିଥିବା ପରିସ୍ଥିତିରେ ସୁଧାର ଆସିଛି। ଏଣୁ ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ଉପକୂଳବର୍ତ୍ତି ଆନ୍ଧ୍ର, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ବିଦର୍ଭରେ ପୁଣି ବର୍ଷା ଆରମ୍ଭ ହୋଇଯାଇଛି। ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମୌସୁମୀକୁ ଦେଶରେ ପୁଣି ସକ୍ରିୟ କରିଛି। ଏଣୁ ଜୁଲାଇର ବର୍ଷା ହ୍ରାସର ଭରଣା ହୋଇ ପାରିବ ବୋଲି ଆଇଏମଡି ଆଶାପ୍ରକାଶ କରିଛନ୍ତି। ଲଘୁଚାପ ପ୍ରଭାବରେ ଦକ୍ଷିଣ ପ୍ରାୟୋଦ୍ୱୀପର ଉତ୍ତର ଭାଗ, ମଧ୍ୟଭାରତରେ ବର୍ଷା ବୃଦ୍ଧି ହେବ। ଜୁଲାଇ ପ୍ରଥମ ପକ୍ଷରେ ଦେଶର ବିଶାଳ ଭୂ-ଭାଗକୁ ବେଶ୍ ବର୍ଷା ମିଳିଥିଲା। ହେଲେ ଦ୍ୱିତୀୟ ପକ୍ଷ ବେଳକୁ ମୌସୁମୀ ଦୁର୍ବଳ ହୋଇପଡିବାରୁ ବର୍ଷା ହ୍ରାସ ସହ ତାପମାତ୍ରା ବଢ଼ିବାରେ ଲାଗିଥିଲା।
ତେବେ ପାଗରେ ପରିବର୍ତ୍ତନ ସହ ମୌସୁମୀ ପୁଣି ସକ୍ରିୟ ହୋଇଥିବାରୁ ଦେଶର ବିସ୍ତୃତ ଅଞ୍ଚଳରେ ବର୍ଷା ଆଶା ସଞ୍ଚାର କରିଛି। ରାଜସ୍ଥାନରେ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ବର୍ଷାର କୌଣସି ସମ୍ଭାବନା ନଥିବା ରାଜସ୍ଥାନ ପାଣିପାଗ ବିଭାଗ ନିର୍ଦ୍ଦେଶକ ରାଧେଶ୍ୟାମ ଶର୍ମା କହିଛନ୍ତି। ଏଣୁ ଆଗାମୀ ଦିନମାନଙ୍କରେ ରାଜସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା ୩୫ ଡିଗ୍ରି ପାଖାପାଖି ପହଞ୍ଚିପାରେ। ସେହିପରି ମହାରାଷ୍ଟ୍ର ପାଣିପାଗ ବିଭାଗଙ୍କ ପୂର୍ବାନୁମାନ ଅନୁସାରେ ରାୟଗଡ଼, ରତ୍ନଗିରି ଓ ପାଲଘର ଅଞ୍ଚଳରେ ବର୍ଷାର ଆଶଙ୍କା ରହିଛି। ତେବେ ଏହି ସମୟରେ ମୁମ୍ବାଇ ଓ ଉପନଗରୀୟ ଅଞ୍ଚଳ ସମେତ ଠାଣେ ଆଦି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଜୁଲାଇରେ ବର୍ଷା ମହାରାଷ୍ଟ୍ରରେ ପରିସ୍ଥିତି ଉଦବେଗଜନକ କରିଥିଲା। ଏଥିରୁ ଆର୍ଥିକ ନଗରୀ ମୁମ୍ବାଇ ମଧ୍ୟ ବର୍ତ୍ତି ନଥିଲା।
