ତୃଣମୂଳ କଂଗ୍ରେସରେ ଯୋଗଦେଲେ ସୁଶ୍ମୀତା ଦେବ
କୋଲକାତା : କଂଗ୍ରେସରୁ ଇସ୍ତଫା ଦେଇଥିବା ସୁଶ୍ମୀତା ଦେବ ସୋମବାର ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ସେ କୋଲକାତାରେ ଟିଏମସିରେ ସାମିଲ ହୋଇଛନ୍ତି। ଏହି ସମୟରେ ଟିଏମସି ନେତା ଅଭିଷେକ ବାନାର୍ଜୀ ଏବଂ ଡେରେକ ଓ’ବ୍ରାଇନ୍ ମଧ୍ୟ ଉପସ୍ଥିତ ଥିଲେ। ସୁଶ୍ମୀତା ଦେବ ମହିଳା କଂଗ୍ରେସର ଜାତୀୟ ସଭାପତି ତଥା ପୂର୍ବତନ ସାଂସଦ ଥିଲେ। କଂଗ୍ରେସ ପାଇଁ ସୁଶ୍ମୀତା ଦେବଙ୍କ ଇସ୍ତଫା ବଡ ଝଟକା ବୋଲି କୁହାଯାଉଛି। ସେ ରବିବାର ଦିନ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। ଅନ୍ୟପକ୍ଷରେ ସୁଶ୍ମୀତା ଦେବଙ୍କ ଇସ୍ତଫା ଖବରରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ ମୁଁ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି କିନ୍ତୁ ତାଙ୍କ ଫୋନ୍ ବନ୍ଦ ଅଛି। ସେ କଂଗ୍ରେସର ଜଣେ ପୁରୁଣା ତଥା ଶକ୍ତିଶାଳୀ ନେତା ବୋଲି ସୁରଜେୱାଲା କହିଛନ୍ତି। ସୋନିଆ ଗାନ୍ଧୀ ଏପର୍ଯ୍ୟନ୍ତ ତାଙ୍କ ଚିଠି ପାଇନାହାଁନ୍ତି।
ଦଳରୁ ଇସ୍ତଫା ଦେବା ପୂର୍ବରୁ ସୁଶ୍ମୀତା ଦେବ ଟ୍ୱିଟର ଆକାଉଣ୍ଟରେ ନିଜର ବାୟୋ ବଦଳାଇ ପୂର୍ବତନ କଂଗ୍ରେସ ନେତ୍ରୀ କରିଦେଇଥିଲେ। ସୁଶ୍ମୀତା ଦେବଙ୍କ ଇସ୍ତଫା ଉପରେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ କହିଛନ୍ତି ଯେ ଦଳ କନ୍ଦଳର ସମ୍ମୁଖୀନ ହେଉଥିବା କଂଗ୍ରେସ ଦଳର ନେତାଙ୍କ ଯନ୍ତ୍ରଣା ସୁଶ୍ମୀତା ଦେବଙ୍କ ଇସ୍ତଫା ସହ ସାମ୍ନାକୁ ଆସିଛି। ସିବଲ ଏକ ଟ୍ୱିଟରେରେ ଲେଖିଛନ୍ତି ଯେ ଯେତେବେଳେ ଯୁବ ନେତାମାନେ ଦଳ ଛାଡନ୍ତି, ସେତେବେଳେ ଦୋଷ ପୁରୁଣା ନେତା ତଥା ଦଳର ବରିଷ୍ଠ ନେତାଙ୍କ ଉପରେ ପଡିଥାଏ। ସେ କହିଛନ୍ତି ଯେ, ‘ମୁଁ ଭାରତୀୟ ଜାତୀୟ କଂଗ୍ରେସ ସହିତ ମୋର ତିନି ଦଶନ୍ଧିର ସହଭାଗିତାକୁ ଭଲପାଏ … ଆପଣ ମୋତେ ଦେଇଥିବା ମାର୍ଗଦର୍ଶନ ଏବଂ ସୁଯୋଗ ପାଇଁ ମୁଁ ବ୍ୟକ୍ତିଗତ ଭାବେ ଆପଣଙ୍କୁ ଧନ୍ୟବାଦ ଜଣାଉଛି।’ ଦେବ ସ୍ୱର୍ଗତ ଭେଟେରାନ କଂଗ୍ରେସ ନେତା ସନ୍ତୋଷ ମୋହନ ଦେବଙ୍କ ଝିଅ। ୨୦୧୪ ରେ ସେ ପ୍ରଥମଥର ପାଇଁ ସିଲଚର ପାରିବାରିକ ଆସନରୁ ସଂସଦରେ ପହଞ୍ଚିଥିଲେ।
