ବାଲେଶ୍ୱର : ୨୫ ଓ ୨୬ରେ ଆୟୋଜିତ ହେବ ୪ ଜିଲାର ସର୍ବେକ୍ଷଣ ଶିବିର
- ଯୋଗଦେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ନଟରାଜନ
ବାଲେଶ୍ୱର : ବାଲେଶ୍ୱର ଜିଲା ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ତରଫରୁ ଶନିବାର ମଧ୍ୟାହ୍ନରେ ସଦରବ୍ଲକ ଅନ୍ତର୍ଗତ କୁରାଢିହା ପଂଚାୟତରେ ଜିଲା ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନର ସଭାପତି ବିଜୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବରେ ସଂଗଠନର ରାଜ୍ୟସଭାପତି ସୁଦର୍ଶନ ଦାସ ଓ ଓଡ଼ିଶା ଭାରତୀୟ ପ୍ରଫେସନାଲ କଂଗ୍ରେସ ସଭାନେତ୍ରୀ ମମତା କୁଣ୍ଡୁ, ସରପଂଚ ତଥା ଜଳେଶ୍ୱର ସଂଗଠନର ସଭାପତି ପଦ୍ମଲୋଚନ ବେହେରା, ସରଂପଚ ତଥା ବସ୍ତା ସଂଗଠନର ସଭାପତି ପୂର୍ଣ୍ଣଚନ୍ଦ୍ର ସୋରେନ୍, ସମିତିସଭ୍ୟ ପ୍ରଭାତ କୁମାର ଦାସ ମଂଚାସୀନ ହୋଇ ମୂଲ୍ୟବାନ୍ ବକ୍ତବ୍ୟ ରଖିଥିଲେ ।
ସମାଜର ସବୁଠୁ ତଳେ ଥିବା ଲୋକଙ୍କ ପାଖରେ ପ୍ରକୃତ ବିକାଶକୁ ପହଂଚାଇବାପାଇଁ ପଂଚାୟତ ବ୍ୟବସ୍ଥା ହିଁ ଏକମାତ୍ର ମାଧ୍ୟମ । କ୍ଷମତାର ବିକେନ୍ଦ୍ରିକରଣ ଏହାଦ୍ୱାରା ସମ୍ଭବ । ଏହି ବ୍ୟବସ୍ଥାକୁ ଦେଶରେ ପ୍ରତିଷ୍ଠା କରିବା କ୍ଷେତ୍ରରେ କଂଗ୍ରେସର ଅବଦାନ ଅତୁଳନୀୟ । ଏହାକୁ ଆହୁରି ସୁଦୃଢ଼ କରି ରାଜୀବ ଗାନ୍ଧୀଙ୍କ ଗ୍ରାମ ସ୍ୱରାଜ ସ୍ୱପ୍ନକୁ ସାକାର କରିବାପାଇଁ ଆଜି ରାଜୀବ ଗାନ୍ଧି ପଂଚାୟତରାଜ ସଂଗଠନର ଜିଲ୍ଲା ବୈଠକରେ ଆହ୍ୱାନ ଦିଆଯାଇଛି । ଓଡ଼ିଶା ପ୍ରଭାରୀ ଶ୍ରୀ କୁନାଲ ବାନାର୍ଜୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦେଶରେ ପଂଚାୟତ ବ୍ୟବସ୍ଥାକୁ ସୁଦୃଢ଼ କରିବା କ୍ଷେତ୍ରରେ ରାଜୀବଗାନ୍ଧୀଙ୍କ ପ୍ରୟାସ ବିଷୟରେ ବକ୍ତବ୍ୟ ରଖିବା ସହିତ ବର୍ତମାନର କେନ୍ଦ୍ର ବିଜେପି ଓ ରାଜ୍ୟର ବିଜେଡ଼ି ସରକାର ଏହି ବ୍ୟବସ୍ଥାକୁ ଦୁର୍ବଳ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ତଥା ରାଜୀବ ଗାନ୍ଧି ପଂଚାୟତ ସଂଗଠନର ସଭାପତି ସୁଦର୍ଶନ ଦାସ ଆଗାମୀ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସଂଗଠନର ରଣକୌଶଳ ବିଷୟରେ ଗୁରୁମନ୍ତ୍ର ଦେଇଥିବା ସହ ଆଲୋଚନାରେ ଭାଗନେଇ ସଂଗଠନକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଇଥିଲେ । ପ୍ରକାଶ ଥାଉକି ଆସନ୍ତା ଅଗଷ୍ଟ ୨୫ ଓ ୨୬ ଦୁଇଦିନ ଧରି ବାଲେଶ୍ୱରର ଶ୍ରୀଜଙ୍ଗଠାରେ ସଂଗଠନର ସର୍ବୋଦ୍ୱୟ ସଂକଳ୍ପ ଶିବିର ଅନୁଷ୍ଠିତ ହେବ । ଏହି ବୈଠକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଜାତୀୟ ସଂଗଠନର ଅଧ୍ୟକ୍ଷା ମିନାକ୍ଷୀ ନଟରାଜନ ଓ ଉପାଧ୍ୟକ୍ଷ ହର୍ଷବଦ୍ଧନ ସତପଲ ଯୋଗଦେବାର କାର୍ଯ୍ୟକ୍ରମ ଅଛି । ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଛାମୁଆ ସଂଗଠକ ମାନେ ଏଥିରେ ଯୋଗଦେବେ ।
