ନୋଏଡାରୁ ଦିଲ୍ଲୀକୁ ବ୍ୟବସାୟିକ ଯାନବାହନ ପ୍ରବେଶ ନେଇ କଟକଣା
ନୂଆଦିଲ୍ଲୀ : ଆସନ୍ତାକାଲି ସ୍ୱାଧୀନତା ଦିବସ । ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଜାରି ରହିଛି । ଏହି ପରିପ୍ରେକ୍ଷୀରେ ରାଜଧାନୀ ନୂଆଦିଲ୍ଲୀରେ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ମୁଖ୍ୟ ସ୍ଥାନଗୁଡ଼ିକରେ ପୋଲିସ ମୁତୟନ ହୋଇଥିବା ବେଳେ ଦିଲ୍ଲୀ ପୋଲିସ ସୁରକ୍ଷା ଉପର କଡ଼ା ନଜର ରଖିଛି । ଟ୍ରାଫିକ ପୋଲିସ ଦିଲ୍ଲୀରେ ଗାଡ଼ିଗୁଡ଼ିକର ପ୍ରବେଶ ନେଇ ପରାମର୍ଶ ଜାରି କରିଛି ।
ଅଗଷ୍ଟ ୧୪ ତାରିଖ ରାତି ୧୧ଟାରୁ ନୋଏଡାରୁ ଦିଲ୍ଲୀରେ କୌଣସି ପ୍ରକାରରେ ମାଲବୁହା ଏବଂ ବ୍ୟବସାୟିକ ଯାନବାହନ ଚଳାଚଳ କରିପାରିବ ନାହିଁ । ଏଥି ସହିତ ଭାରୀ, ମଧ୍ୟମ ଏବଂ ହାଲୁକା ଆଦି ଯାନବାହନ ମଧ୍ୟ ଚଳାଚଳ ବନ୍ଦ ରହିବ । ଅଗଷ୍ଟ ୧୫ର କାର୍ଯ୍ୟକ୍ରମ ଶେଷ ହେବା ପରେ କଟକଣା କୋହଳ କରାଯିବ । ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ପୋଲିସ ଏହି ନିଷ୍ପତ୍ତି ନେଇଛି । ପୋଲିସ ରାସ୍ତାକୁ ନେଇ ମଧ୍ୟ ଗାଇଡଲାଇନ ଜାରି କରିଛି । ପୋଲିସ କହିବା ଅନୁସାରେ ଚିଲ୍ଲା ରେଡ ଲାଇଟ (ସୀମା) ଠାରୁ ଦିଲ୍ଲୀରେ ପ୍ରବେଶ କରି ଅନ୍ୟ ସ୍ଥାନକୁ ଯାଉଥିବା ଗାଡ଼ିକୁ ଚିଲ୍ଲାରେଡ ଲାଇଟରୁ ୟୁ-ଟର୍ଣ୍ଣ ନେଇ ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସରୁ ପୂର୍ବ ଆଭ୍ୟନ୍ତରୀଣ ଏକ୍ସପ୍ରେସ-ୱେ ଦେଇ ଯିବାକ ପଡ଼ିବ ।
