ସ୍ୱାଧୀନତା ଦିବସକୁ ‘କିସାନ ମଜଦୁର ଆଜାଦି ସଂଗ୍ରାମ ଦିବସ’ ଭାବେ ପାଳନ କରିବେ ଚାଷୀ
ନୂଆଦିଲ୍ଲୀ : ଅଗଷ୍ଟ ୧୫ ସ୍ୱାଧୀନତା ଦିବସକୁ ବିବାଦୀୟ ତିନି କୃଷି ଆଇନକୁ ବିରୋଧ କରୁଥିବା ଚାଷୀମାନେ ‘କିସାନ ମଜଦୁର ଆଜାଦି ସଂଗ୍ରାମ ଦିବସ’ ଭାବେ ପାଳନ କରିବେ। ସଂଯୁକ୍ତ କିସାନ ମୋର୍ଚ୍ଚାର ଆହ୍ୱାନକ୍ରମେ ଦେଶର କୃଷକମାନେ ବ୍ଲକ୍ ଓ ତହସିଲ ସ୍ତରରେ ‘ତ୍ରିରଙ୍ଗା ରାଲି’ କରିବେ। କିନ୍ତୁ ସେମାନେ ଦିଲ୍ଲୀରେ ପ୍ରବେଶ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
ସେଦିନ ବ୍ଲକ୍ ଓ ତହସିଲ ମୁଖ୍ୟାଳୟମାନଙ୍କରେ କୃଷକମାନେ ଟ୍ରାକ୍ଟର, ମଟରସାଇକେଲ, ସାଇକେଲ ଓ ଶଗଡ଼ଗାଡ଼ିରେ ତ୍ରିରଙ୍ଗା ଉଡ଼ାଇ ରୢାଲି କରିବେ। ଦିନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ସାରା ଦେଶରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେବେ ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହେବ ବୋଲି କୃଷକନେତାମାନେ କହିଛନ୍ତି। ଉଲ୍ଲେଖନୀୟ, ଗତ ବର୍ଷ ନଭେମ୍ବର ମାସରୁ ସରକାରଙ୍କ ନୂତନ କୃଷି ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳନ କରିଆସୁଛନ୍ତି। ଏନେଇ ଅଖିଳ ଭାରତ କିସାନ ସଂଘର୍ଷ ସହଯୋଗ ସମିତି (ଏଆଇକେଏସ୍ସିସି)ର କବିତା କୁରୁଗାନ୍ତି କହିଛନ୍ତି ଯେ, ଅଗଷ୍ଟ ୧୫କୁ ତ୍ରିରଙ୍ଗା ରାଲି ମାଧ୍ୟମରେ ‘କିସାନ ମଜଦୁର ଆଜାଦି ସଂଗ୍ରାମ ଦିବସ’ ଭାବେ ପାଳନ କରିବାକୁ ସଂଯୁକ୍ତ କିସାନ ମୋର୍ଚ୍ଚା ଆହ୍ୱାନ କରିଛି।
