ଆଫଗାନିସ୍ତାନର ୧୮ଟି ପ୍ରଦେଶକୁ ଦଖଲକୁ ନେଲାଣି ତାଲିବାନ
ନୂଆଦିଲ୍ଲୀ : ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ଫେରାଇନେବା ପରେ ତାଲିବାନ ଆତଙ୍କ ବ୍ୟାପକ ହେବାରେ ଲାଗିଛି । ଦୈନିକ ତାଲିବାନମାନେ ଗୋଟେ ପରେ ଗୋଟେ ପ୍ରଦେଶ ନିଜ ଦଖଲକୁ ନେବାରେ ଲାଗିଛନ୍ତି। ଫଳରେ ଦିନ ବଢ଼ିବା ଆଫଗାନିସ୍ତାନ ସରକାରଙ୍କ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି । ଏବେ ସୁଦ୍ଧା ୩୪ଟି ମଧ୍ୟରୁ ୧୮ଟି ପ୍ରଦେଶକୁ ନିଜ ଦଖଲକୁ ନେଇସାରିଛି ତାଲିବାନ। ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଦଖଲକୁ ନେବାକୁ ଆଉ ୯୦ଦିନ ସମୟ ଲାଗିବ ବୋଲି କୁହାଯାଉଥିବା ବେଳେ ଆଉ ମାତ୍ର ଗୋଟେ ଦିନ ମଧ୍ୟରେ ତାଲିବାନ ତାହା କରିଦେଖାଇବ ବୋଲି ଜଣାପଡ଼ିଲାଣି।
ସେହିପରି ତାଲିବାନ ଆଫଗାନିସ୍ତାନର ଯେଉଁ ଅଞ୍ଚଳ ଦଖଲ କରୁଛି ସେଠାକାର ମହିଳାଙ୍କୁ ଆତଙ୍କବାଦୀଙ୍କୁ ବିବାହ ପାଇଁ ବାଧ୍ୟ କରୁଛି। ଏଥିସହିତ ମହିଳାଙ୍କୁ ଅକଥନୀୟ ନିର୍ଯାତନା ଦେଉଛନ୍ତି ସେମାନେ ଅବିବାହିତ ଯୁବତୀଙ୍କୁ ବିବାହ ପାଇଁ ବାଧ୍ୟ କରୁଛନ୍ତି; ନଚେତ ଯୌନ ନିର୍ଯାତନା ଦେଉଛନ୍ତି। ଏଥିସହିତ ଆତଙ୍କବାଦୀମାନେ ସରକାରୀ ସୈନ୍ୟ ଓ ତାଲିବାନକୁ ବିରୋଧ କରୁଥିବା ନାଗରିକଙ୍କୁ ସର୍ବସାଧାରଣରେ ଫାଶୀ ଦେବା ସହ ନିର୍ମମ ଭାବେ ହତ୍ୟା କରୁଛନ୍ତି। ଦେଶର ମହିଳାମାନେ ଦୁଇ ଦଶନ୍ଧି ପୂର୍ବର ତାଲିବାନ ନିର୍ଯାତନାକୁ ମନେ ପକାଇ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଯୁବତୀମାନେ ପ୍ରାଣ ବିକଳରେ ଲୁଚୁଥିବା ଏଥିରେ କୁହାଯାଇଛି। ଆତଙ୍କବାଦୀମାନେ ୧୫ରୁ ବର୍ଷରୁ ଅଧିକ ବୟସ୍କ ଯୁବତୀ ଓ ୪୦ବର୍ଷରୁ କମ୍ ବିଧବାଙ୍କୁ ନିଶାଣ କରୁଥିବା ଏଥିରେ ପ୍ରକାଶ ପାଇଛି। ଗୃହଶୂନ୍ୟ ହୋଇ ବିଭିନ୍ନ ଶିବିର ଓ ଖୋଲା ମଇଦାନରେ ଆଶ୍ରୟ ନେଇଥିବା ପରିବାରଗୁଡ଼ିକ ଅଧିକ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବହୁ ମହିଳା ସେମାନଙ୍କ ପରିବାରରେ ଥିବା ଝିଅମାନଙ୍କୁ କିଭଳି ଲୁଚାଇ ରଖିବେ ତା’ର ଉପାୟ ପାଉ ନାହାନ୍ତି। ସର୍ବନିମ୍ନ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଦୟନୀୟ ଅବସ୍ଥାରେ ରହିଥିବା ଏଭଳି ଲୋକଙ୍କ ସଂଖ୍ୟା ୧୩ ନିୟୁତ ବୋଲି ଏଥିରେ ପ୍ରକାଶ ପାଇଛି। ଦେଶର ପ୍ରାୟ ୭୦ପ୍ରତିଶତ ମହିଳା ଓ ଶିଶୁ ଏବେ ସଂକଟରେ ଥିବାବେଳେ ଏଭଳି ନିର୍ଯାତନାକୁ ଆଫଗାନିସ୍ତାନ ସରକାର ସ୍ବୀକାର କରିଛନ୍ତି। ସୂଚନା ଯେ, ତାଲିବାନ ଦଖଲକୁ ନେଇଥିବା ପ୍ରଦେଶଗୁଡ଼ିକ ହେଲା ଜାରଞ୍ଜ (ଅଗଷ୍ଟ ୬), ଶେବର୍ଗନ୍ (ଅଗଷ୍ଟ ୭), ସର-ଇ-ପୁଲ୍ (ଅଗଷ୍ଟ ୮), କୁଣ୍ଡୁଜ୍ (ଅଗଷ୍ଟ ୮), ତାଲୁକାନ୍ (ଅଗଷ୍ଟ ୮), ଆୟବାକ୍ (ଅଗଷ୍ଟ ୯), ଫରାହ (ଅଗଷ୍ଟ) ୧୦), ପୁଲ-ଇ-ଖୁମ୍ରି (ଅଗଷ୍ଟ ୧୦), ଫୈଜାବାଦ (ଅଗଷ୍ଟ ୧୧), ଗଜନୀ (ଅଗଷ୍ଟ ୧୨), ହୈରାତ୍ (ଅଗଷ୍ଟ ୧୨), କାନ୍ଦାହାର (ଅଗଷ୍ଟ ୧୨), ଲସ୍କର ଗାହ (ଅଗଷ୍ଟ ୧୩), କାଲା-ଇ ନାୱ (ଅଗଷ୍ଟ ୧୩), ଫେରୁଜ୍ କୋହ (ଅଗଷ୍ଟ ୧୩), ପୁଲ-ଇ ଆଲାମ (ଅଗଷ୍ଟ ୧୩), ଟେରାକୋଟ (ଅଗଷ୍ଟ ୧୩), କାଲାଟ (ଅଗଷ୍ଟ ୧୩) ।


