ଆଜି ଠାରୁ ଯୁକ୍ତ ୨ ନାମଲେଖା ପ୍ରକ୍ରିୟା
- ସେପ୍ଟେମ୍ବର ୫ ଆବେଦନର ଶେଷ ତାରିଖ
- ଚଳିତବର୍ଷ ବଢିବନି ଫି’
- ମୋଟ୍ ୫୪ହଜାର ୯୦୦ ସିଟ୍ ବୃଦ୍ଧି
ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେବ ଯୁକ୍ତ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା । ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ନାମ ଲେଖାଇବାକୁ ଆବେଦନ କରିପାରିବେ। ଏଥିପାଇଁ ପୂର୍ବାହ୍ନ ୧୧ଟାରୁ ୱେବସାଇଟରେ ଆବେଦନପତ୍ର ମିଳିବ। ସେପ୍ଟେମ୍ବର ୫ ତାରିଖ ଆବେଦନର ଶେଷ ତାରିଖ ରଖାଯାଇଛି। ୧୩ ସେପ୍ଟେମ୍ବର ପୂର୍ବାହ୍ନ ୧୧.୩୦ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଏହି ତାଲିକାରେ ଥିବା ଛାତ୍ରଛାତ୍ରୀ ୧୪ ରୁ ୨୧ ସେପ୍ଟେମ୍ବର ମଧ୍ୟରେ ନାମ ଲେଖାଇବେ। ସେହିପରି ୨୭ ତାରିଖରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବ। ୨୯ ସେପ୍ଟମ୍ବରରୁ ୧ ଅକ୍ଟୋବର ମଧ୍ୟରେ ଏହି ପିଲାମାନେ ନାମ ଲେଖାଇବେ। ୪ ଅକ୍ଟୋବରରେ ତତ୍ କ୍ଷଣାତ ମନୋନୟନ ବା ସ୍ପଟ ସିଲେକସନ ମେଧା ତାଲିକା ପ୍ରକାଶ ପାଇବ। ଦ୍ବିତୀୟ ନାମଲେଖା ପରେ ବଳକା ଥିବା ସିଟ୍ ପାଇଁ ତିନିଗୁଣା ଛାତ୍ରଛାତ୍ରୀଙ୍କୁ ଡକାଯିବ। କରୋନା ପାଇଁ ନାମଲେଖା ଦେୟ ବୃଦ୍ଧି ହେବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଥିଲେ।
ସୂଚନା ଯେ, ମାଟ୍ରିକରେ ବିକଳ୍ପ ମୂଲ୍ୟାୟନ ଯୋଗୁ ରାଜ୍ୟରେ ଏବର୍ଷ ଅଧିକ ପିଲା ପାସ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ଯୁକ୍ତ ଦୁଇ କଲେଜରେ ସିଟ୍ ସଂଖ୍ୟା ବୃଦ୍ଧି କରିଛନ୍ତି । ଚଳିତବର୍ଷ ଯୁକ୍ତ ଦୁଇରେ ମୋଟ୍ ୫୪ହଜାର ୯୦୦ ସିଟ୍ ବୃଦ୍ଧି କରାଯାଇଛି । ୭୨ ହଜାର ସିଟ ବୃଦ୍ଧି ପାଇଁ ଆବେଦନ ହୋଇଥିଲା । କଳାରେ ସିଟ ବୃଦ୍ଧି ପାଇଁ ୪୦ ହଜାର ଆବେଦନ ଆସିଥିଲା । ୩୮ହଜାର ସିଟ ବୃଦ୍ଧି ପାଇଁ ଅନୁମତି ଦିଆଯାଇଛି । ସେହିଭଳି ବିଜ୍ଞାନରେ ୨୫ ହଜାର ଆବେଦନରୁ ୧୩ ହଜାର ସିଟ୍ ବୃଦ୍ଧି ପାଇଁ ଅନୁମତି ଦିଆଯାଇଛି । ବାଣିଜ୍ୟରେ ୪ ହଜାର ସିଟ୍ ବୃଦ୍ଧି ଆବେଦନ ଆସିଥିଲା । ସେଥିରୁ ୩ହଜାର ୯୦୦ ସିଟ ବୃଦ୍ଧି ପାଇଁ ଅନୁମତି ଦିଆଯାଇଛି । ଅନ୍ୟପକ୍ଷରେ କରୋନା ଯୋଗୁ ଆଡମିସନ ଫି ବୃଦ୍ଧି ହେବ ନାହିଁ ।
