ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ନୂତନ ଏସ୍ଓପି ଜାରି
- ୧୨ ଓ ୧୩ରେ ସେବାୟତ ପରିବାର ଦର୍ଶନ, ୨୩ରୁ ସାଧାରଣ ଦର୍ଶନ
ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିୟମାବଳୀ (ଏସଓପି) ଜାରୀ ହୋଇଛି । ତଦନୁଯାୟୀ, ୧୨ ଓ ୧୩ ତାରିଖ ଦୁଇ ଦିନ ସେବାୟତ ଓ ତାଙ୍କ ପରିବାର ସଦସ୍ୟ ମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ । ୧୬ ତାରିଖ ଠାରୁ ସହରବାସୀ ୱାର୍ଡ଼ ୱାରୀ ଦର୍ଶନ କରିପାରିବେ । ସେହିପରି ୨୩ ତାରିଖ ଠାରୁ ସମସ୍ତ ଭକ୍ତ ଦର୍ଶନର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସମ୍ପୃକ୍ତ ଭକ୍ତ କରୋନାର ଦୁଇଟି ଯାକ ଡୋଜ୍ ଟୀକା ନେଇଥିବେ କିମ୍ବା ଆରଟିପିସିଆର ପରୀକ୍ଷା ରିପୋର୍ଟ ଦେଖାଇବାକୁ ଜରୁରୀ । ସକାଳ ୭ଟା ଠାରୁ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ରହିଛି । ସପ୍ତାହରେ ଦୁଇ ଦିନ ଶନିବାର ଓ ରବିବାର ମନ୍ଦିର ବନ୍ଦ ରହିବ । କୋଭିଡ଼୍ କଟକଣାକୁ ଅନୁପାଳନ କରିବା ସହ ଶ୍ରଦ୍ଧାଳୁ ମାନେ ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ବ୍ୟାରିକେଡ୍ ରେ ଧାଡିରେ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ । ସେହିପରି ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି । ଭକ୍ତ ମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବା ସହ ଉତର ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ କରିପାରିବେ ନାହିଁ ଭକ୍ତ । ଭକ୍ତ ମାନେ ଭୋଗ କିମ୍ବା କୌଣସି ପୂଜା ସାମଗ୍ରୀ ମନ୍ଦିର ଭିତରକୁ ନେଇପାରିବେ ନାହିଁ । ମନ୍ଦିର ଭିତରେ କୌଣସି ପାଶ୍ୱର୍ ଦେବାଦେବୀଙ୍କୁ ସ୍ପର୍ଶ କରିପାରିବେ ନାହିଁ । ଏହା ବ୍ୟତୀତ ବଡ ବଡ ପୂଜା ପାର୍ବଣ ଦିନ ମାନଙ୍କରେ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବାରଣ କରାଯାଇଛି । ଜନ୍ମାଷ୍ଟମୀ ଓ ଗଣେଶ ପୂଜାରେ ମନ୍ଦିର ବନ୍ଦ ରହିବ ।
