ନୂଆ ଭାରତ ନୂଆ ବିଶ୍ୱ ସହ ଆଗକୁ ବଢିବାକୁ ପ୍ରସ୍ତୁତ ରହିଛି
ନୂଆଦିଲ୍ଲୀ : ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଅଧିବେଶନରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ନୂଆ ଭାରତ ନୂଆ ବିଶ୍ୱ ସହ ଆଗକୁ ବଢିବାକୁ ପ୍ରସ୍ତୁତ ରହିଛି । ଭାରତ ଦିନେ ବିଦେଶୀ ପୁଞ୍ଜିନିବେଶକୁ ନେଇ ଆଶଙ୍କା କରୁଥିଲା, କିନ୍ତୁ ଏବେ ବିଦେଶୀ ପୁଞ୍ଜିକୁ ଆମନ୍ତ୍ରଣ କରୁଛି ।
ସେହିପରି ପୂର୍ବରୁ ଭାରତ ବିଭିନ୍ନ ସାମଗ୍ରୀ ପାଇଁ ଆମଦାନୀ ଉପରେ ନିର୍ଭର କରୁଥିଲା । କିନ୍ତୁ ଏବେ ଆତ୍ମନିର୍ଭରଶୀଳତା ଆଡ଼କୁ ଗତି କରୁଛି । ଭାରତର ଶିଳ୍ପ ଜଗତ ଏବେ ସାରା ବିଶ୍ବରେ ପ୍ରତିଯୋଗିତା କରୁଛି । ଷ୍ଟାର୍ଟଅପଗୁଡ଼ିକ ବିଶ୍ବରେ ଭାରତର ପରିଚୟ ପାଲଟିଛି । ଦେଶରେ ଏବେ ପ୍ରାୟ ୬୦ଟି ୟୁନିକର୍ଣ୍ଣ ରହିଛି । ୭-୮ ବର୍ଷ ପୂର୍ବେ ଦେଶରେ ମାତ୍ର ୩-୪ଟି ଷ୍ଟାର୍ଟଅପ ୟୁନିକର୍ଣ୍ଣ ଥିଲା । ଟେକନଲୋଜୀ, ସାମାଜିକ ବାଣିଜ୍ୟ, ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ଭାରତର ୟୁନିକର୍ଣ୍ଣଗୁଡ଼ିକ ଉଲ୍ଲେଖନୀୟ ସଫଳତା ପାଇବା ସହ ଭାରତୀୟ ଷ୍ଟାର୍ଟଅପ କ୍ଷେତ୍ରର ଆତ୍ମବିଶ୍ବାସ ବଢାଇଛି । ସୂଚନାଯୋଗ୍ୟ ଯେ, ଯେଉଁ ଷ୍ଟାର୍ଟଅପର ବଜାର ମୂଲ୍ୟ ୧ବିଲିୟନ ଡଲାର ଟପିଯାଇଛି ସେଗୁଡ଼ିକୁ ୟୁନିକର୍ଣ୍ଣ ବୋଲି କୁହାଯାଏ । ଏହି ଅବସରରେ ଟାଟା ସନ୍ସ ସିଇଓ ଏନ.ଚନ୍ଦ୍ରଶେଖରନ, କୋଟାକ ମହିନ୍ଦ୍ରା ବ୍ୟାଙ୍କର ଏମଡି ଉଦୟ କୋଟାକ୍, ଭାରତ ଫର୍ଜର ସିଏମଡି ବାବା କଲ୍ୟାଣୀ ପ୍ରମୁଖ ଉପସ୍ଥିତ ଥିଲେ ।
