ବାଲେଶ୍ୱର : କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ପ୍ରତିବାଦ
ବାଲେଶ୍ୱର : ଐତିହାସିକ ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ମିଳିତ ମଞ୍ଚର ‘ଦେଶ ବଞ୍ଚାଅ’ ଆହ୍ୱାନରେ ସୋମବାରଦିନ ବାଲେଶ୍ୱରରେ ଶ୍ରମିକ କର୍ମଚାରୀମାନଙ୍କର ଶୋଭାଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାର ମାଲିକ ସପକ୍ଷରେ ଶ୍ରମ ଆଇନ ସଂଶୋଧନ, କଳା କୃଷି ଆଇନ୍, ପେଟ୍ରୋଲ୍, ଡିଜେଲ୍ ଓ ଜାଳେଣି ଗ୍ୟାସ ପ୍ରଭୃତି ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦରବୃଦ୍ଧିକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି ସହ ଶ୍ରମିକ ସଂଗଠନମାନଙ୍କ ତରଫରୁ ସ୍ଥାନୀୟ ବିଚାରଗଞ୍ଜ ଛକରୁ ଏକ ଶୋଭାଯାତ୍ରା ବାହାରିଥିଲା ।
ସହର ପରିକ୍ରମା ପରେ ଜିଲ୍ଲାପାଳଙ୍କ ଫାଟକ ସମ୍ମୁଖରେ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରି ସେଠାରେ ସାଧାରଣ ସଭା କରିଥିଲେ । ଏହି ସଭାରେ ଏଆଇସିଟିୟୁର ନେତା ରବୀନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ । ଆଇଏନ୍ଟିୟୁସିର ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ବେହେରା, ସିଆଇଟିୟୁ ନେତା ଶିଶିର ହୁଇ, ଏଆଇଟିୟୁସି ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ, ଟିୟୁସିସି ସଂପାଦକ ସର୍ବେଶ୍ୱର ମିଶ୍ର, ବୀମା କର୍ମଚାରୀ ନେତା ଶ୍ୟାମସୁନ୍ଦର ଜେନା, ଉମାକାନ୍ତ ଦାସ, ପ୍ରତିରକ୍ଷା କର୍ମଚାରୀ ନେତା ନିରଞ୍ଜନ ଦାସ, ବସ୍ତିବାସିନ୍ଦା ସଂଘ ସଭାପତି ବେଣୁଧର ବାରିକ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କର ସମସ୍ତ ଜନଗଣ ବିରୋଧି ଓ ପୁଞ୍ଜିପତି ତୋଷଣ ଏବଂ ଜାତୀୟ ସଂପତ୍ତି ବିକ୍ରି କରିବା ନୀତିର ଦୃଢ଼ ସମାଲୋଚନା କରିଥିଲେ । ମୋଦି ସରକାର ବିଦେଶୀ କଂପାନୀ ଜରିଆରେ ଭାରତବର୍ଷର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିଙ୍କ ମୋବାଇଲ୍ ତଥ୍ୟକୁ ଗୁପ୍ତଚର ବୃତ୍ତିରେ ଚୋରି କରିବା ଘଟଣାର ତଦନ୍ତ ଦାବି କରି ବକ୍ତାମାନେ ଦେଶ ଓ ସଂବିଧାନ ବଞ୍ଚାଇବାକୁ ଆହ୍ୱାନ ଦେଇଥିଲେ । ମୋଦୀ ସରକାରଙ୍କ ସମସ୍ତ ଜନବିରୋଧୀ ନୀତିକୁ ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର ସମର୍ଥନ କରୁଥିବାରୁ ସେମାନେ ଉଭୟଙ୍କୁ ବକ୍ତବ୍ୟରେ ବିରୋଧ କରିଥିଲେ । ଶୋଭାଯାତ୍ରା ଓ ବିକ୍ଷୋଭ ସମାବେଶରେ ବିଭିନ୍ନ ସଂଘ ତରଫରୁ ନିକୁଞ୍ଜ ବସନ୍ତ ରାୟ, ଉମାକାନ୍ତ ଜେନା, ଭରତ ସେଠୀ, ଶ୍ୟାମସୁନ୍ଦର ଜେନା, ଜତିନ୍ ପାତ୍ର, ଲକ୍ଷ୍ମୀଧର ଗିରି, ବଂଶୀଧର ବେହେରା, ମଧୁସୂଦନ ଜେନା, ବନ୍ଦନା ବିଶ୍ୱାସ ଓ ଶଶିକାନ୍ତ ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ । ପରିବହନ ଶ୍ରମିକ ନେତା ରାଜକିଶୋର ଲେଙ୍କା ଧନ୍ୟବାଦ ଦେଇଥିଲେ ।
