ଆଫଗାନିସ୍ତାନର ଆଉ ୩ଟି ସହରକୁ ନିଜ ଦଖଲରେ ନେଲେ ତାଲିବାନ
Afghans inspect damaged shops after fighting between Taliban and Afghan security forces in Kunduz city, northern Afghanistan, Sunday, Aug. 8, 2021. Taliban fighters Sunday took control of much of the capital of Kunduz province, including the governor's office and police headquarters, a provincial council member said. (AP Photo/Abdullah Sahil)
କାବୁଲ : ଆଫଗାନିସ୍ତାନର କୁନ୍ଦଜ ସମେତ ସାର୍-ଇ-ପୁଲ୍ ଏବଂ ତଲୋକାନ୍କୁ ନିଜ ଦଖଲରେ ନେଲେ ତାଲିବାନ ଆତଙ୍କି । ଏଥିସହିତ ଦେଶର ଉତ୍ତର ଭାଗରେ ଆତଙ୍କିମାନଙ୍କର ପ୍ରଭାବ ବିସ୍ତାରିତ ହେବା ସହିତ ସେମାନେ ଅଧିକରୁ ଅଧିକ ସହର ନିଜ ଦଖଲ ନେବା ପ୍ରୟାସ ଜାରି ରଖିଛନ୍ତି। ଗତ ତିନମାସ ମଧ୍ୟରେ ତାଲିବାନ ଆତଙ୍କି ଡଜନ ସଂଖ୍ୟକ ଜିଲା ଏବଂ ସୀମାନ୍ତ ସଡକଗୁଡିକୁ ନିଜ ଅକ୍ତିଆରକୁ ନେଇସାରିଛନ୍ତି ଏବଂ ଆଫଗାନିସ୍ତାନର ପଶ୍ଚିମ ଭାଗରେ ହେରା ଏବଂ ଦକ୍ଷିଣରେ କାନ୍ଦାହାର ସମେତ ବହୁ ପ୍ରାଦେଶିକ ରାଜଧାନୀ ନିଜ ଦଖଲକୁ ନେବାକୁ ଯାଉଛନ୍ତି। ଆମେରିକା ଉକ୍ତ ଦେଶରେ ତାହାର ସାମରିକ ଅଭିଯାନକୁ ଅଗଷ୍ଟ ଶେଷସୁଦ୍ଧା ସଂପୂର୍ଣ୍ଣ ବନ୍ଦ କରିବାକୁ ଘୋଷଣା କରିବା ପରେ ତାଲିବାନ ଆତଙ୍କି ଅଧିକ ସକ୍ରିୟ ହୋଇଉଠିଛନ୍ତି। ତାଲିବାନ ଆତଙ୍କିଙ୍କର ନାରକୀୟ କାଣ୍ଡକୁ କେତେକ ସ୍ଥାନରେ କଡା ମୁକାବିଲା କରୁଛନ୍ତି। ଇତିମଧ୍ୟରେ ତାଲିବାନ ଆତଙ୍କି କୁନ୍ଦୁଜର ସମସ୍ତ ପ୍ରମୁଖ ସରକାରୀ କୋଠା ନିଜ ନିୟନ୍ତ୍ରଣକୁ ନେଇସାରିଥିବାବେଳେ ସରକାରୀ ସୈନ୍ୟମାନେ କେବଳ ବିମାନ ବନ୍ଦର ଏବଂ ନିଜର ଆଡ୍ଡାକୁ ଜଗି ରହିଥିବା ଜଣେ ପ୍ରାଦେଶିକ ଜନପ୍ରତିନିଧି କହିଛନ୍ତି। ସୂଚନାଯୋଗ୍ୟ ଯେ ୨ ଲକ୍ଷ ୭୦ ହଜାର ଜନସଂଖ୍ୟା ବିଶିଷ୍ଟ କୁନ୍ଦୁଜ ସହର ଆଫଗାନିସ୍ତାନର ଖଣିଜ ସମୃଦ୍ଧ ଉତ୍ତରାଞ୍ଚଳ ପ୍ରଦେଶ ଏବଂ କେନ୍ଦ୍ର ଏସିଆର ପ୍ରବେଶ ପଥ ହୋଇଥିବାବେଳେ ତାଲିବାନ ତାହାକୁ ଦଖଲ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି।
ଋବିବାର ଅପରାହ୍ଣରୁ କୁନ୍ଦୁଜ ସହରରେ ଜୋରଦାର ଲଢେଇ ଚାଲିଥିବା ଜନପ୍ରତିନିଧି ଅମରୁଦ୍ଦିନ ୱାଲି କହିଛନ୍ତି। ସୁରକ୍ଷା ବାହିନୀର ଜଣେ ମୁଖପାତ୍ର ରବିବାର ସନ୍ଧ୍ୟାରେ କହିଥିଲେ ଯେ ସରକାରୀ ସୈନ୍ୟମାନେ ତାଲିବାନ ଦଖଲରେ ଥିବା ଅଞ୍ଚଳ ଫେରାଇ ଆଣିବାକୁ ଯଥାଶୀଘ୍ର ବଡଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଅନ୍ୟପକ୍ଷରେ ତାଲିବାନ ମୁଖପାତ୍ର ଜବିହଉଲ୍ଲା ମୁଜାହିଦ କହିଛନ୍ତି, ସେମାନେ ଉକ୍ତ ପ୍ରଦେଶର ଅଧିକାଂଶ ଅଞ୍ଚଳ ଦଖଲ କରିସାରିଛନ୍ତି ଏବଂ ବିମାନ ବନ୍ଦର ନିକଟବର୍ତ୍ତୀ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ କୁନ୍ଦୁଜ ସହରରୁ ୧୪ଟି ମୃତଦେହ ଉଦ୍ଧାର କରାଯାଇଛି। ସେଗୁଡିକ ମୁଖ୍ୟତଃ ମହିଳା ଓ ଶିଶୁଙ୍କର ବୋଲି ଜଣାଯାଇଛି। ଇତିମଧ୍ୟରେ ୩୦ରୁ ଅଧିକ ଆହତଙ୍କୁ ଚିକିତ୍ସା ପାଇଁ ହାସପାତାଳକୁ ନିଆଯାଇଛି। ତାଲିବାନମାନେ ସର୍-ଇ-ପୁଲରେ ସରକାରୀ କାର୍ଯ୍ୟାଳୟଗୁଡକୁ ନିଜ ଦଖଲକୁ ନେବାପରେ ସେଠାରେ ଥିବା ସରକାରୀ କର୍ମଚାରୀମାନେ ଭୟରେ ନିକଟସ୍ଥ ଏକ ସାମରିକ ଘାଟିରେ ଆଶ୍ରୟ ନେଇଛନ୍ତି। ସୂଚନାଯୋଗ୍ୟ ଯେ ଶୁକ୍ରବାର ତାଲିବାନମାନେ ଦୀର୍ଘବର୍ଷ ପରେ ପ୍ରଥମ କରି ପ୍ରାଦେଶିକ ରାଜଧାନୀ ଜରଞ୍ଜକୁ ନିଜ ଅକ୍ତିଆରକୁ ନେବାରେ ସଫଳ ହୋଇଥିଲେ। ଏହା ଆଫଗାନିସ୍ତାନର ଦକ୍ଷିଣକୁ ନିମ୍ରୋଜ ପ୍ରଦେଶରେ ଇରାନ ସୀମାନ୍ତରେ ଅବସ୍ଥିତ।
