ଆସନ୍ତାକାଲି ଠୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ
ଭୁବନେଶ୍ୱର : କାଲିଠୁ ଖୋଲିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। କେବଳ ଶେଷ ବର୍ଷର ଛାତ୍ରଛାତ୍ରୀ ଶ୍ରେଣୀ ଗୃହରେ ପାଠ ପଢ଼ିବେ । ସବୁ ITI ଓ ପଲିଟେକ୍ନିକ ଅନୁଷ୍ଠାନ ମଧ୍ୟ କାଲିଠୁ ଖୋଲିବ । କୋଭିଡ ନିୟମ ନମାନିଲେ ଶିକ୍ଷାନୁଷ୍ଠାନ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ।
କରୋନା କଟକଣା ସହ ସୋମବାର ଠାରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ । ତେବେ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ହେବ । ଏନେଇ ଗତ ବୁଧବାର ଦିନ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ନିୟନ୍ତ୍ରଣରେ ଆସୁଥିବା ସମସ୍ତ ଇଞ୍ଜିନିୟରିଂ, ଡିପ୍ଲୋମା, ପଲିଟେକନିକ ଓ ଆଇଟିଆଇ କଲେଜକୁ ନିର୍ଦ୍ଦେଶ ଦିଆଯାଇଥିଲା । ଶିକ୍ଷାନୁଷ୍ଠାନାକୁ ସାନିଟାଇଜ କରିବା ସହ କରୋନା କଟକଣା ମାନି ପାଠ ପଢ଼ାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର କେଂଟନମେଂଟ ଜୋନରେ ରହୁଥିବା ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀମାନେ, ବିଶ୍ୱବିଦ୍ୟାଳୟ କିମ୍ବା କଲେଜକୁ ଆସିବେ ନାହିଁ । ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବା ସହ ହାତ ସାନିଟାଇଜ କରାଯାଉଛି କି ନାହିଁ, ତାହା ନିଶ୍ଚିତ କରାଯିବ । ସାମାଜିକ ଦୂରତା ବଜାୟ ରଖିବା ସହ ଅଧିକ ଛାତ୍ରଛାତ୍ରୀ ଥିଲେ ସେମାନଙ୍କୁ ଦୁଇଟି ବ୍ୟାଚରେ ବିଭକ୍ତ କରାଯିବ । ଛାତ୍ରଛାତ୍ରୀ ବା କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଲେ ସେମାନଙ୍କୁ ସଙ୍ଗରୋଧ କରିବା ପାଇଁ ହଷ୍ଟେଲରେ ବ୍ୟବସ୍ଥା କରାଯିବ ।
