କଟକରୁ ଜବତ ହେଲା ନକଲି ଗୁଟକା
- ମାଲଗୋଦାମ ଥାନା ପୋଲିସ ଓ ସିଏମସି ପକ୍ଷରୁ ଚଢଉ
- ବିପୁଳ ପରିମାଣର ସାମଗ୍ରୀ ଜବତ, ମାଲିକ ଅଟକ
କଟକ : କଟକ ସହରରେ ଚାଲିଛି ଅବାଧ ନକଲି ସାମଗ୍ରୀ କାରବାର । ଘିଅ, ରୋଷେଇ ତେଲ, ଲଙ୍କା ଓ ହଳଦୀଗୁଣ୍ଡ, ପୂଜା ସାମଗ୍ରୀ, ପ୍ରସାଧାନ ସାମଗ୍ରୀ ଏବଂ ସିମେଣ୍ଟ ଆଦି ଅନେକ ନକଲି ସାମଗ୍ରୀ ପ୍ରସ୍ତୁତକାରୀଙ୍କ କାରଖାନା ଓ ଘରେ ଚଢଉ କରାଯାଇ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରାଯାଇଛି । ତେବେ ଏପର୍ଯ୍ୟନ୍ତ କୈାଣସି ନକଲି କାରଖାନା ମାଲିକଙ୍କ ଉପରେ ସେଭଳି କୈାଣସି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଏସବୁ କାରବାର କମିବା ବଦଳରେ ବଢ ବଢି ଚାଲିଛି । ଏଥିପାଇଁ ନିରୀହ ଗ୍ରାହକଟିଏ ଉଚିତ ଦାମ୍ ଦେଇ ମଧ୍ୟ ନକଲି ସାମଗ୍ରୀ କିଣି କ୍ଷତି ସହୁଛି । ତେବେ ପୋଲିସ ପ୍ରଶାସନ ଓ ସିଏମସି କର୍ତ୍ତୃପକ୍ଷ ଏଦିଗରେ କୈାଣସି କଠୋର କାର୍ଯ୍ୟାନୁଷ୍ଠାନ ନ ଆପଣେଇବା ଯୋଗୁଁ ନକଲି ସାମଗ୍ରୀ ବ୍ୟବହାର ଦ୍ୱାରା ଜନସାଧାରଣଙ୍କ ଜୀବନ ମଧ୍ୟ ବିପଦମୁକ୍ତ ନୁହେଁ ବୋଲି ସାଧାରଣରେ ଆଲୋଚିତ ହେଉଛି ।
ଆଜି ଏସିପି ଅମରେନ୍ଦ୍ର ପଣ୍ଡା, ଏସିପି ସତ୍ୟନାରାୟଣ ମୁଦୁଲିଙ୍କ ନେତୃତ୍ୱରେ ମାଲଗୋଦାମ ଥାନା ଆଇଆଇସି ତୃପ୍ତିରଂଜନ ନାୟକ ଏବଂ ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଭାବରେ ମାଲଗୋଦାମଠାରେ ଚଢଉ କରାଯାଇ ନକଲି ଗୁଟକା ମିଶ୍ରଣ କରି ବିକ୍ରି କରାଯାଉଥିବା ୩ଟି ଗୋଦାମରୁ ବିପୁଳ ପରିମାଣର ନକଲି ଗୁଟକା ତିଆରି ସାମଗ୍ରୀ ଜବତ କରିଛନ୍ତି । ଏଥିସହ ଗୋଦାମ ମାଲିକଙ୍କୁ ଅଟକ ରଖାଯାଇ ଖୋଳତାଡ କରାଯାଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ, ରାଜ୍ୟ ବାହାରରୁ ଗୁଟକା ଆଣି ଏଠାରେ ସତାବରୀ ଓ ମୋଦକ ଆଦି ମିଶ୍ରଣ କରି ବଜାରକୁ ଛଡାଯାଉଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ଉକ୍ତ ଗୋଦାମଗୁଡିକରେ ଚଢଉ କରାଯାଇଥିଲା । ଚଢଉ ବେଳେ ସେଠାରୁ ୨ ଲକ୍ଷରୁ ଅଧିକ ନକଲି ଗୁଟକା ଓ ୧୦ କ୍ୱିଣ୍ଟାଲ ଓଜନର ୨ ଲକ୍ଷ ୩୬ ପ୍ୟାକେଟ୍ ସତାବରୀ ଓ ମୋଦକ ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୮ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଏହି ଚଢଉ ରେ ସିଏମସି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ପ୍ରିୟବ୍ରତ ମହାପାତ୍ର ଓ ଖାଦ୍ୟ ନିରାପତ୍ତା ପ୍ରତୀକ୍ଷା ଦାସ ମହାପାତ୍ର, ଭଗବାନ ଲେଙ୍କାଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।
