ବାଲେଶ୍ୱର : ଧାନ ରୋଇବା ପାଇଁ ବିଲକୁ ଯିବା ସମୟରେ ବିଦ୍ୟୁତ ତାର ଲାଗି ଚାଷୀ ମୃତ
ବାଲେଶ୍ୱର : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀ ମୃତ। ବିଦ୍ୟୁତ ବିଭାଗର ଖାମଖିଆଲି ଭାବ ପାଇଁ ଏଭାଲି ଅଘଟଣ ଘଟିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା କସବା ଜୟପୁର ଗ୍ରାମର ଗଣେଶ କୁମାର ଜେନା ଶନିବାର ସକାଳେ ସମୟରେ ବିଲକୁ ଧାନ ବିହନ ନେଇ ରୋଇବାକୁ ଯାଇଥିଲା । ବିଲରେ ଧାନ ଚାଷ ପାଇଁ ପାଣି ପଞ୍ଚାୟତ ମାଧ୍ୟମରେ ବିଲରେ ଗଭୀର ନଳକୂପ ବସାଯାଇ ଚାଷୀଙ୍କର ଚାଷ ଜମିକୁ ଜଳସେଚିତ କରାଯାଉଥିଲା । ସେଥିରେ ସଂଯୁକ୍ତ ହୋଇଥିବା ବିଦ୍ୟୁତ ତାର ତଳକୁ ଓହଳି ପଡିଥିଲା । ଗଣେଶ ସେହି ତାର ସଂସ୍ପର୍ଶରେ ଆସିବାରୁ ବିଦ୍ୟୁତ ଆଘାତ ଲାଗି ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଘଟଣା ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ଖନ୍ତାପଡ଼ା ଆଇଆଇସି ବିମଳ କୁମାର ନାୟକ ପହଂଚି ଉତ୍ତେଜନାକାରୀଙ୍କୁ ବୁଝାସୁଝା କଲେ ମଧ୍ୟ ମୃତ ଯୁବକଙ୍କ ପରିବାରକୁ ୫୦ ହଜାର ଟଙ୍କା, ସ୍ତ୍ରୀ ସଂଘମିତ୍ରା ଜେନାଙ୍କୁ ନିଯୁକ୍ତି ଦାବି କରିଛନ୍ତି । ଦୁଇ ବିଦ୍ୟୁତ କର୍ମଚାରୀଙ୍କୁ ଗାଁ ଲୋକ ଅଟକ ରଖିଛନ୍ତି । ପୋଲିସ ଗାଡି ସମ୍ମୁଖରେ ପରିବାର ଲୋକ ବସି ନିଜର ଦାବି ରଖିଛନ୍ତି । ଘଟଣା ଶୁଣି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱରର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଘଟଣା ସ୍ଥଳରେ ପହଞ୍ଚି ବିଭାଗୀୟ ଉପରିସ୍ଥ କର୍ତ୍ତୃପକ୍ଷ ସହ ଆଲୋଚନା କରିଥିଲେ ।
