ମୁମ୍ବାଇରେ ବୋମା ଆତଙ୍କ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ମୁମ୍ବାଇ : ମୁମ୍ବାଇରେ ବୋମା ଆତଙ୍କ । ବିଗ ବି ଅମିତାଭ ବଚନଙ୍କ ବାସଭବନ ଓ ମୁମ୍ବାଇର ୩ଟି ରେଳ ଷ୍ଟେସନରେ ବୋମା ରଖାଯାଇଥିବା ନେଇ ଜଣେ ଅଜଣା ବ୍ୟକ୍ତି ପୋଲିସର କଣ୍ଟ୍ରୋଲ ରୁମକୁ ଫୋନ କରି ସୂଚନା ଦେବା ପରେ ଆତଙ୍କ ଖେଳିଯାଇଥିଲା । ଏହି ଫୋନ କଲ୍ ମିଳିବା ପରେ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ବୋମା ସ୍କ୍ୱାର୍ଡ ଦ୍ୱାରା ଯାଞ୍ଚ କରାଯାଇଥିଲା । ପରେ କିନ୍ତୁ ବୋମା ଥିବା ଖବର ମିଥ୍ୟା ବୋଲି ଜଣାପଡ଼ିଥିଲା ।
ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମକୁ ଜଣେ ଅଜଣା ବ୍ୟକ୍ତି ଫୋନ କରି ସହରର ୪ଟି ସ୍ଥାନରେ ବୋମା ରଖାଯାଇଥିବା ନେଇ କହିଥିଲା । ଏସବୁ ସ୍ଥାନଗୁଡ଼ିକ ହେଉଛି ଛତ୍ରପତି ଶିବାଜୀ ଟର୍ମିନସ୍, ଦାଦର ଓ ବାଇକୁଲା ରେଳଷ୍ଟେସନ ଓ ଜୁହୁ ସ୍ଥିତ ଅମିତାଭ ବଚ୍ଚନଙ୍କ ଘର । ଏହା ପରେ ରେଳବାଇ ପୋଲିସ ସକ୍ରିୟ ହୋଇଥିଲା । ସମ୍ପୃକ୍ତ ସ୍ଥାନଗୁଡ଼ିକୁ ସିଲ୍ କରାଯିବା ସହ ବୋମା ସ୍କ୍ୱାର୍ଡ ଦ୍ୱାରା ଟିକିନିଖି ତନଖି କରାଯାଇଥିଲେ ହେଁ କୌଣସି ବିସ୍ଫୋରକ ମିଳିନଥିଲା । ଫଳରେ ବୋମା ଥିବା ଖବର ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା । ଏହା ସତ୍ତ୍ୱେ ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
