ରାଜ୍ୟରେ ଅଗଷ୍ଟ ୧୫ ଯାଏ ବିଶେଷ ବର୍ଷା ନାହିଁ
- ନିଅଣ୍ଟିଆ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀକୂଳ
ଭୁବନେଶ୍ୱର : ରାଜ୍ୟରେ ନିଅଣ୍ଟିଆ ବର୍ଷା ଏବେ ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଲାଣି । ଗତ ଜୁନ୍ ମାସରୁ ଅଗଷ୍ଟ ୬ ତାରିଖ ସୁଦ୍ଧା ସ୍ୱାଭାବିକ ଠାରୁ କମ୍ ବର୍ଷା ରେକର୍ଡ କରାଯାଇଛି । ଆଗକୁ ମଧ୍ୟ ନିଅଣ୍ଟିଆ ବର୍ଷାର ପରିସ୍ଥିତି ଲାଗି ରହିବାର ଆଶଙ୍କା ରହିଥିବା ସୂଚନା ମିଳିଛି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏହି ଅବସ୍ଥା ଲାଗି ରହିବ। ସେହିପରି ଲଘୁଚାପର ମଧ୍ୟ ସୂଚନା ମିଳୁନାହିଁ। ଏହି ସମୟରେ ବୁଣାବୁଣି ଓ ତଳି ପକା କାର୍ଯ୍ୟ ହୋଇଥାଏ। ଧାନ ରୁଆ ମଧ୍ୟ ଆରମ୍ଭ ହୋଇଯାଇଥାଏ। ବର୍ତ୍ତମାନ ଉପକୂଳର ଅନେକ ସ୍ଥାନରେ ରୋଇବା ପାଇଁ ତଳି ବଡ଼ ହୋଇଗଲାଣି ଓ ବେଉଷଣ ପାଇଁ ମଧ୍ୟ ସମୟ ଆସିଯାଇଛି। କିନ୍ତୁ ସ୍ୱଳ୍ପ ବର୍ଷା ଯୋଗୁଁ ରୁଆ ବେଉସଣରେ ବାଧା ସୃଷ୍ଟି ହେଉଛି। ସେହିପରି ରାଜ୍ୟରେ ଗତ ୪ ଦିନ ହେଲା ମୌସୁମୀ ସ୍ଥିତି ଦୁର୍ବଳ ରହିଛି। ମୌସୁମୀ ଟ୍ରଫ୍ଲାଇନ୍ ଏବେ ଉତ୍ତରମୁହାଁ ହୋଇଥିବାରୁ ଆସନ୍ତା କିଛି ଦିନ ଧରି ମୌସୁମୀ ଦୁର୍ବଳ ରହିବା ସହ କାଁ ଭାଁ ବର୍ଷାର ସମ୍ଭାବନା ରହିଛି। ଆକଳନ ଅନୁସାରେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଭଦ୍ରକ, ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀ ଜିଲାରେ ସମୁଦାୟ ହାରାହାରି ବର୍ଷା ୨୫ ମିମି ରହିବ। ତା’ ପର ସପ୍ତାହରେ ଏହି ୪ଟି ଜିଲା ସମେତ ବାଲେ ଶ୍ୱ ର, ଯାଜପୁର ଓ କଟକରେ ମଧ୍ୟ ଆଉ ୨୫ ମିମି ବର୍ଷା ହୋଇପାରେ। ଅର୍ଥାତ ଉପକୂଳ ଜିଲ୍ଲାମାନଙ୍କରେ ଆସନ୍ତା ୨ ସପ୍ତାହରେ ପ୍ରାୟ ୭୦% ନିଅଣ୍ଟିଆ ବର୍ଷାର ସଙ୍କେତ ମିଳୁଛି। ଉପକୂଳ ସଂଲଗ୍ନ ଜିଲାମାନଙ୍କରେ ମଧ୍ୟ ପ୍ରାୟ ୫୦% ନିଅଣ୍ଟିଆ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶାର ଝାଡ଼ଖଣ୍ଡ ସୀମାନ୍ତ ଜିଲା, ଛତିଶଗଡ଼ ସୀମାନ୍ତ ଜିଲା ଓ ଅବିଭକ୍ତ କୋରାପୁଟ ଜିଲାରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି ।
ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଆସନ୍ତା ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ମୌସୁମୀ ଦୁର୍ବଳ ରହିବ। ସମ୍ଭବତଃ ଉପକୂଳ ଓଡ଼ିଶା କେନ୍ଦ୍ରୀୟ ଓ ଗଞ୍ଜାମ ସହିତ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ବିଶେଷ ବର୍ଷାର ସମ୍ଭାବନା କମ୍। ଏହି ସମୟରେ ଲଘୁଚାପର କୌଣସି ସଙ୍କେତ ମିଳୁ ନାହିଁ। ଫଳରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ରେକର୍ଡ ହୋଇଥିବା ୨୬.୪% ନିଅଣ୍ଟିଆ ବର୍ଷା ସ୍ଥିତି ଆଗକୁ ଆହୁରି ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ଏଥିସହ ଚାଷ କାର୍ଯ୍ୟରେ ନାନା ଅସୁବିଧା ସୃଷ୍ଟି ହେବାର ସମ୍ଭାବନା ରହିଛି। ଅଗଷ୍ଟ ପ୍ରଥମ ୬ ଦିନରେ ରାଜ୍ୟରେ ପ୍ରାୟ ୬୯ମିମି ବର୍ଷା ଆଶା କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୫.୬ ମିମି ବର୍ଷା ହୋଇଛି। ଏହା ସ୍ୱାଭାବିକ ଠାରୁ ପ୍ରାୟ ୭୭% କମ୍। କୌଣସି ଜିଲାରେ ବି ସ୍ୱାଭାବିକ ବର୍ଷା ହୋଇନାହିଁ। କୋରାପୁଟ ଜିଲାରେ ସର୍ବାଧିକ ୫୮.୬ ମିମି ବର୍ଷା ହୋଇଥିବା ବେଳେ ଝାରସୁଗୁଡ଼ାରେ ମାତ୍ର ୧.୪ ମିମି ବର୍ଷା ହୋଇଛି। ଜୁନ୍ ୧ରୁ ଅଗଷ୍ଟ ୬ ତାରିଖ ସୁଦ୍ଧା ରାଜ୍ୟରେ ୪୬୪ ମିମି ବର୍ଷା ବର୍ଷା ହୋଇଥିବା ବେଳେ ସ୍ୱାଭାବିକ ଭାବେ ଏହି ସମୟ ମଧ୍ୟରେ ରାଜ୍ୟରେ ୬୩୦ ମିମି ବର୍ଷା ହୋଇଥାଏ। ଅର୍ଥାତ ରାଜ୍ୟରେ ଏବେ ସୁଦ୍ଧା ୨୬.୪% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି।
