ପରଲୋକରେ ବିଶିଷ୍ଟ ସାହିତ୍ୟିକ ଇନ୍ଦୁଭୂଷଣ କର
ଭୁବନେଶ୍ୱର : ପରଲୋକରେ ବିଶିଷ୍ଟ ସାହିତ୍ୟିକ ଇନ୍ଦୁଭୂଷଣ କର । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଦେହାନ୍ତ ହୋଇଛି । ଓଡ଼ିଶା ସାହିତ୍ୟ ପାଇଁ ସ୍ୱର୍ଗତ କରଙ୍କ ଅବଦାନ ଅତୁଳନୀୟ । ତାଙ୍କର ଆବର୍ତ୍ତମାନରେ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି ଘଟିଛି । ଓଡ଼ିଆ ସାହିତ୍ୟର ଏହି ପ୍ରଥିତଯଶା ସାରସ୍ୱତ ସାଧକଙ୍କ ମହାପ୍ରୟାଣ ଅବସରରେ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା ନିମନ୍ତେ ଏକାଡେମୀ ପକ୍ଷରୁ ସଭାପତି ଡ. ହୃଷୀକେଶ ମଲ୍ଲିକ, ଉପସଭାପତି ଡ. ସଂଗ୍ରାମ ଜେନା, ସଚିବ ପ୍ରବୋଧ କୁମାର ରାଉତଙ୍କ ସମେତ ପ୍ରମୁଖ ସହକର୍ମୀ ଏବଂ ‘ସାହିତ୍ୟାୟନ’ ପକ୍ଷରୁ ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।
ସାହିତ୍ୟିକ କର ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କଖଡା ପଞ୍ଚାୟତ ଅଧୀନ ଚଣ୍ଡିପୁର ଗାଁର ଯୋଗେନ୍ଦ୍ରନାଥ କର ଓ ନୀରବାଳା କରଙ୍କ ଔରସରୁ ୧୯୩୫ ମସିହା ମାର୍ଚ୍ଚ ୧୨ରେ ଜନ୍ମ ଗ୍ରହଣ କରିଥିଲେ ଇନ୍ଦୁଭୂଷଣ । ସେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କଥାକାର ମନୋଜ ଦାସଙ୍କ ସହପାଠୀ ମଧ୍ୟ ଥିଲେ । ୧୯୫୯ ମସିହାରେ ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସେ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । ୧୯୬୦ରେ ଜୁନ ୧ରେ ପ୍ରଶାସନିକ ଅଧିକାରୀ ଭାବେ ଯୋଗଦେଇଥିଲେ । ୧୯୭୧ରେ “ବିନ୍ଦୁ’ ନାମକ ଏକ ପତ୍ରିକାର ସମ୍ପାଦନା କରିଥିଲେ । ୧୯୯୧ରେ ‘ନିସଙ୍ଗ ଆକାଶ’ କବିତା ଗ୍ରନ୍ଥ ଥିଲା ତାଙ୍କର ପ୍ରଥମ ପ୍ରକାଶିତ ପୁସ୍ତକ । ସୀତାକାନ୍ତ ମହାପାତ୍ରଙ୍କ “ଶବ୍ଦର ଆକାଶକୁ’ ବଙ୍ଗଳାରେ ଅନୁବାଦ, ଶକ୍ତି ଚଟ୍ଟପାଧ୍ୟାୟଙ୍କ “ଯାଇପାରେ କାହିଁକି ଯିବି’, ନରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ “ଉଲଙ୍ଗ ରାଜା’କୁ ଓଡ଼ିଆରେ ଅନୁବାଦ କରିଛନ୍ତି । ରବୀନ୍ଦ୍ରନାଥ ସେନାପତିଙ୍କ ରମ୍ୟ ରଚନାକୁ ବଙ୍ଗଳାରେ “ଆଜକେର ଦୁନିଆ’କୁ ଅନୁବାଦ କରିଛନ୍ତି । ବିନ୍ଦୁ, ନବ ଗୁଞ୍ଜର (ଓଡ଼ିଆ), ଇମେଜ, ଆର୍ଟ ହେରିଟେଜ ଅଫ ଓଡ଼ିଶା, ଦ ଟ୍ରାଡିସନ ଅଫ ହକ, ଇନ୍ଟାକ (ଇଂରାଜୀ) ଇତ୍ୟାଦି ପତ୍ରିକାରେ ସଫଳ ସମ୍ପାଦନା କରିଛନ୍ତି । ୧୯୯୦ରୁ ୧୯୯୪ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଭାବେ କାର୍ଯ୍ୟ କରିଥିଲେ । ସେ ‘ସାହିତ୍ୟାୟନ’ର ପ୍ରଥମ ସଭାପତି ମଧ୍ୟ ଥିଲେ ।
