ବାର୍ସିଲୋନା କ୍ଲବରୁ ଅଲଗା ହେଲେ ଫୁଟବଲର୍ ମେସି
ନୂଆଦିଲ୍ଲୀ : ଭାଙ୍ଗିଲା ଫୁଟବଲର ଲିଓନେଲ ମେସି ଓ ବାର୍ସିଲୋନାର ୨୧ ବର୍ଷର ସମ୍ପର୍କ । ସୋସିଆଲ୍ ମିଡିଆରେ ବାର୍ସିଲୋନା କ୍ଲବ ପକ୍ଷରୁ ଏହି ସୂଚନା ପ୍ରକାଶ କରାଯାଇଛି । କ୍ଲବ ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ମେସି ଏବେ ସଂପୂର୍ଣ୍ଣ ଭାବେ ମୁକ୍ତ, ସେ ଯେକୌଣସି କ୍ଲବ ପକ୍ଷରୁ ଖେଳିପାରିବେ ବୋଲି ବାର୍ସିଲୋନା ପକ୍ଷରୁ କୁହାଯାଇଛି । ଦୁଇ ପକ୍ଷଙ୍କ ବହୁ ଚେଷ୍ଟା ପରେ ବି କୌଣସି ଉନ୍ନତି ହୋଇନଥିଲା । ଉଭୟ ପକ୍ଷଙ୍କ ସହମତିରେ ଦୀର୍ଘ ବର୍ଷ ଧରି ଚାଲୁ ରହିଥିବା ସଂପର୍କର ଅନ୍ତ ଘଟିଛି । ଆର୍ଥିକ ସ୍ଥିତି ଲାଗି ଏହି ଡିଲ୍କୁ ୨ ପକ୍ଷ ଆଗକୁ ବଢାଇପାରିନାହାନ୍ତି । ତେଣୁ ବାଧ୍ୟ ହୋଇ ଏହିଠାରେ ସଂପର୍କକୁ ଶେଷ କରିବାକୁ ପଡିଛି । ଏବେ ମେସି କୌଣସି ବି କ୍ଲବରେ ଯୋଗ ଦେଇପାରିବେ । ୨୧ ବର୍ଷ ଧରି ଫୁଟବଲ ଖେଳରେ ବାର୍ସିଲୋନା ସହିତ ମେସି ଯୋଗଦାନକୁ କ୍ଲବ ଧନ୍ୟବାଦ ଜଣାଇଛି । ଏହାସହିତ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା ମଧ୍ୟ କରିଛି । ସେପଟେ ସେନ୍ ଫୁଟବଲ ଲିଗ୍ର ଅଧ୍ୟକ୍ଷ କହିଛନ୍ତି ଯେ, ବାର୍ସିଲୋନା ଫୁଟବଲ କ୍ଲବ ଏବେ ଆର୍ଥିକ ବୋଝରେ ବୁଡିରହିଛି । ପ୍ରାୟ ୧.୧୮ ବିଲିୟନ୍ ଡଲାରର ଆର୍ଥିକ ବୋଝ କ୍ଲବ ଉପରେ ରହିଛି । ଭାରତୀୟ ମୁଦ୍ରା ମୁକାବିକ ପ୍ରାୟ ୮ ହଜାର କୋଟିରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ସୂଚନା ଯେ, ୧୬ ବର୍ଷ ବୟସରୁ ମେସି ବାର୍ସିଲୋନା ଫୁଟବଲ କ୍ଲବ ସହିତ ଜଡିତ ରହିଥିଲେ । ଏବେ ବାର୍ସିଲୋନା ସହିତ ତାଙ୍କ ଅନୁବନ୍ଧନ ୩୦ ଜୁନ୍ରେ ଶେଷ ହୋଇଯାଇଛି । ଏହାପରେ ସେ ଅନ୍ୟ କୌଣସି କ୍ଲବ ପକ୍ଷରୁ ଖେଳିପାରିବେ । ବିଗତ କିଛି ଦିନ ହେଲା ବାର୍ସିଲୋନା କ୍ଲବ ଓ ମେସିଙ୍କ ମଧ୍ୟରେ ଆର୍ଥିକ ସ୍ଥିତି ନେଇ କଥାବାର୍ତ୍ତା ଜାରି ରହିଥିଲା ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ସମସ୍ତ ଚର୍ଚ୍ଚାରେ ବ୍ରେକ୍ ଲାଗିଛି ।
