ଦର୍ଶକଙ୍କ ନିମନ୍ତେ ଖୋଲିଲା ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମି
ଭୁବନେଶ୍ୱର : ଆଜି ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମି ଦର୍ଶକଙ୍କ ନିମନ୍ତେ ଖୋଲାଯାଇଛି । ସରକାରଙ୍କ ଅନୁମୋଦିତ କୋଭିଡ୍ ନିର୍ଦ୍ଦେଶାବଳୀ ପାଳନପୂର୍ବକ ଏହି ସଂଗ୍ରହାଳୟ ଖୋଲା ରହିବ । ସଂଗ୍ରହାଳୟ ଖୋଲିବ । ପରେ ଦର୍ଶକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ପାଇଁ ସଂଗ୍ରହାଳୟ କର୍ମଚାରୀ ଏବଂ କର୍ତୃପକ୍ଷ ପ୍ରସ୍ତୁତ ରହିଛନ୍ତି । କ୍ୟାମ୍ପସ୍ରେ ଥର୍ମାଲ ସ୍କାନିଂ, ପର୍ଯ୍ୟାପ୍ତ ହ୍ୟାଣ୍ଡ ସାନିଟାଇଜର ଉପଲବ୍ଧ କରାଯାଇଛି । ସାମାଜିକ ଦୂରତ୍ୱକୁ ସୁନିଶ୍ଚିତ କରିବା ପାଇଁ ସଂଗ୍ରହାଳୟ ପରିସରକୁ ୬ ଫୁଟ ବ୍ୟବଧାନରେ
ଚିହ୍ନିତ କରାଯାଇଛି । ଅଧିକନ୍ତୁ, ସଂଗ୍ରହାଳୟ ସମସ୍ତ କର୍ମଚାରୀ ଓ କର୍ତୃପକ୍ଷଙ୍କ ସହିତ ସଂକ୍ଷିପ୍ତ ଅଧିବେଶନ କରାଯାଇ ଭ୍ରମଣକାରୀଙ୍କୁ କିପରି ସୁରକ୍ଷିତ ଭାବେ ବୁଲିଦେଖିବା ସୁନିଶ୍ଚିତ କରାଯାଇ ପାରିବ ସେ ସମ୍ପର୍କରେ ଅବଗତ କରାଯାଇଛି ।
ସଂଗ୍ରହାଳୟଟି ୨୦୧୮ ମସିହାରେ ଉଦ୍ଘାଟନ କରାଯାଇଥିଲା । ଏଠାରେ ୮ଟି କକ୍ଷ, ମୁକ୍ତାକାଶ ରଙ୍ଗମଂଚ, ପିଲାମାନଙ୍କ ମନୋରଞ୍ଜନ ନିମନ୍ତେ ଖୋଳପଡ଼ିଆ, କର୍ମଶାଳା, ସ୍ମରଣିକା ବିକ୍ରୟ କେନ୍ଦ୍ର, କ୍ୟାଂଟିନ୍ ଓ କାଫେର ବ୍ୟବସ୍ଥା କରାଯାଇଛି । ସଂଗ୍ରହାଳୟଟିର ବିସ୍ତୃତତା ଏବଂ ଚିତାକର୍ଷକ କଳାକୃତି ତଥା ଏହାର ସ୍ଥାନୀୟ ସ୍ଥାପତ୍ୟ ପାଇଁ ଏହା ବେଶ୍ ଜଣାଶୁଣା ଆଉ ପର୍ଯ୍ୟଟକଙ୍କ ଦ୍ୱାରା ଆଦୃତ ହୋଇପାରିଛି । ପୂର୍ବପରି ସ୍ମରଣିକା ବିକ୍ରୟକେନ୍ଦ୍ର ପର୍ଯ୍ୟଟକଙ୍କ ନିମନ୍ତେ ଖୋଲାଅଛି । ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମିର ଟିମ୍ ଦର୍ଶକଙ୍କୁ ସଂଗ୍ରହାଳୟ ପରିସରକୁ ପୁନର୍ବାର ଫେରାଇ ଆଣିବାକୁ ସର୍ବଦା ପ୍ରୟାସ କରୁଛି । ସଂଗ୍ରହାଳୟ ସମ୍ବନ୍ଧିତ ସବିଶେଷ ସୂଚନା ଏହାର ୱେବ୍ସାଇଟ୍ରେ ଉପଲବ୍ଧ ହେଉଛି ।
