ଆଜିଠୁ ପିଜି ନାମଲେଖା ଆବେଦନ
ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହେବ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ନାତକୋତ୍ତର(ପିଜି) ନାମଲେଖା ପ୍ରକ୍ରିୟା । ରାଜ୍ୟରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟର ନାମଲେଖା ପାଇଁ ଗତବର୍ଷ ପରି ଚଳିତବର୍ଷ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସାମ୍ସ ଏକାଡେମିକ ମ୍ୟାନେଜ୍ମେଣ୍ଟ ସିଷ୍ଟମ(ସାମ୍ସ) ଜରିଆରେ ଆବେଦନ ଆରମ୍ଭ ହେବ।
ସୋମବାର ପୂର୍ବାହ୍ନ ୧୧ଟାରୁ ୱେବସାଇଟ୍ www.samsodisha.gov.in ମାଧ୍ୟମରେ ଛାତ୍ରଛାତ୍ରୀ ଅନ୍ଲାଇନ୍ (ପ୍ରତ୍ୟକ୍ଷ ସେବା ନିୟନ୍ତ୍ରଣ)ରେ ଆବେଦନ କରିପାରିବେ। ଆସନ୍ତା ୧୪ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଅଗଷ୍ଟ ୨୦ରେ ପ୍ରବେଶିକା ପରୀକ୍ଷା ପାଇଁ ପ୍ରବେଶପତ୍ର (ଆଡମିଟ୍ କାର୍ଡ) ୱେବ୍ସାଇଟ୍ରେ ମିଳିବ। ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଅକ୍ଟୋବର ୧୨ରେ ବିଷୟଭିତ୍ତିକ ପ୍ରଥମ ତାଲିକା ପ୍ରକାଶ ପାଇବ। ମେଧା ତାଲିକାରେ ଥିବା ବିଦ୍ୟାର୍ଥୀ ୧୨ରୁ ୧୭ ମଧ୍ୟରେ କେଉଁ ଶିକ୍ଷାନୁଷ୍ଠାନରେ ପଢିବେ ସେ ନେଇ ମନୋନୟନ ପତ୍ର ଦାଖଲ(ଚଏସ୍ ଫିଲିଂ) କରିପାରିବେ। ଅକ୍ଟୋବର ୨୨ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୨୨ରୁ ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀ ନାମଲେଖା ଦେୟ ଦାଖଲ କରିବା ସହ ୨୮ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇପାରିବେ।
