କେନ୍ଦ୍ରାପଡ଼ାରୁ ହଟିଲା ୧୪୪ ଧାରା
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସହର ଓ ୪ ପଞ୍ଚାୟତରୁ ହଟିଲା ଧାରା ୧୪୪ । କୌଣସି ସ୍ଥାନରେ ଲୋକ ଗହଳି ନହେବାରୁ, ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବାରୁ, ଶାନ୍ତି ବଜାୟ ରହିଥିବାରୁ ଓ ଆଇନଶୃଙ୍ଖଳା ବ୍ୟବସ୍ଥା ଠିକ୍ ଥିବାରୁ ମଙ୍ଗଳବାର ରାତି ୧୧ଟାରୁ କଟକଣାକୁ ହଟାଇ ଦେଇଛି ଜିଲା ପ୍ରଶାସନ । ଜନସାଧରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଜିଲାପାଳ ଏହି ନିଷ୍ପତ୍ତି ନେଇଥିବା ବିଜ୍ଞପ୍ତିରେ କୁହାଯାଇଛି ।
ସୂଚନା ଯେ, ଗ୍ୟାଙ୍ଗଷ୍ଟର ହାଇଦରର ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ପରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବାର ଆଶଙ୍କା କରି କେନ୍ଦ୍ରାପଡ଼ା ମୁନସିପାଲିଟି ସମେତ ସହରକୁ ଲାଗିଥିବା ଗୁଲନଗର, ବାରିମୂଳ, କପାଳେଶ୍ୱର ଓ ଜମଧର ପଞ୍ଚାୟତରେ ୧୪୪ ଧାରା ଲାଗୁ ହୋଇଥିଲା । ଗତ ୨୪ ତାରିଖ ରାତି ୧୧ଟାରୁ ୩୦ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ସପ୍ତାହ ବ୍ୟାପି କଟକଣା ବଳବତ୍ତର ରହିବ ବୋଲି କୁହାଯାଇଥିଲା । ପରିସ୍ଥିତିର ସମୀକ୍ଷା ପରେ ମଙ୍ଗଳବାର କଟକଣା ହଟାଇବାକୁ ନିଷ୍ପତ୍ତି ନେଇଥିଲା ଜିଲା ପ୍ରଶାସନ ।
