ମହିଳା ପ୍ରିମିୟର ଲିଗ୍-୨୦୨୪ : ଦିଲ୍ଲୀକୁ ହରାଇ ପ୍ରଥମଥର ଟାଇଟଲ ଜିତିଲା ବାଙ୍ଗାଲୋର
ନୂଆଦିଲ୍ଲୀ : ମହିଳା ପ୍ରିମିୟର ଲିଗ୍ -୨୦୨୪ । ଦିଲ୍ଲୀର ଫିରୋଜଶାହା କୋଟଲା ଗ୍ରାଉଣ୍ଡରେ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ଟାଇଟଲ୍ ହାତେଇଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର (ଆରସିବି)। ପ୍ରଥମେ ବ୍ୟାଟିଂ କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ୧୧୩ରେ ଅଲଆଉଟ ହୋଇଥିଲା। ଦିଲ୍ଲୀ ପକ୍ଷରୁ ମିଳିଥିବା ୧୧୪ ରନକୁ ଅତି ସହଜରେ ହାସଲ କରିଛି । ଜବରଦସ୍ତ ବ୍ୟାଟିଂ କରି ୮ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଆରସିବି ପ୍ରଥମ ଥର ପାଇଁ ଚାମ୍ପିଅନ ହୋଇଛି।

ଆଜି ସୁପର ସଣ୍ତେରେ ଦିଲ୍ଲୀର ଫିରୋଜଶାହା କୋଟଲା ଗ୍ରାଉଣ୍ଡରେ ଆରସିବି ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ମେଗ୍ ଲ୍ୟାନିଂ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ମେଗ୍ ଲାନିଂ ଓ ଶେଫାଲି ବର୍ମା ମଧ୍ୟ ଦଳକୁ ଭଲ ଆରମ୍ଭ ଦେବାରେ ସଫଳ ହୋଇଥିଲେ। କିନ୍ତୁ ଏହା ପରେ କୌଣସି ବ୍ୟାଟ୍ସମ୍ୟାନ୍ ବେଶୀ ସମୟ ପଡିଆରେ ରହିପାରିନଥିଲେ। ଭଲ ଆରମ୍ଭ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ସ୍ପିନରଙ୍କ ବୋଲିଂରେ ଜଣଙ୍କ ପରେ ଜଣେ ବ୍ୟାଟ୍ସମ୍ୟାନ ଆଉଟ ହୋଇ ପ୍ରାଭିଲିୟନକୁ ଫେରି ଯାଇଥିଲେ। ଯାହା ଫଳରେ ଖରାପ ପ୍ରଦର୍ଶନ ଯୋଗୁଁ ଦିଲ୍ଲୀ କ୍ୟାପିଟାଲ୍ସ ୧୮.୩ ଓଭରରେ ୧୧୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏହାପରେ ୧୧୪ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା ଆରସିବି। ବୋଲିଂ ଭଳି ବ୍ୟାଟିଂରେ ମଧ୍ୟ ଭଲ ପଦର୍ଶନ କରି ୧୯.୩ ଓଭରରେ ବିଜୟ ଲକ୍ଷ୍ୟକୁ ଅତିକ୍ରମ କରି ପ୍ରଥମ ଥର ପାଇଁ ଟାଇଟେଲ ହାତେଇବାରେ ସକ୍ଷମ ହୋଇଛି ଦଳ।
ସୂଚନା ଥାଉକି, ‘ଦିଲ୍ଲୀ କ୍ୟାପିଟାଲ୍ସ’ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା। ଅପରପକ୍ଷେ ‘ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର’ ପ୍ରଥମ ଥର ପାଇଁ ଫାଇନାଲ ମ୍ୟାଚ୍ ଖେଳିଥିଲା । ମେଗ୍ ଲ୍ୟାନିଂଙ୍କ ନେତୃତ୍ୱଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଗତ ବର୍ଷ ଫାଇନାଲରେ ମୁମ୍ବାଇ ଇଣ୍ତିଆନ୍ସଠାରୁ ପରାସ୍ତ ହୋଇଥିବା ବେଳେ ଏଥର ଦଳ ଲିଗ ମ୍ୟାଚ ଗୁଡିକରେ ଚତ୍ମକାର ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିବା ସହ ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା। ମାତ୍ର ବିଜୟର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା ।

ଅପରପକ୍ଷେ ଶୁକ୍ରବାର ଏଲିମିନେଟର ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇକୁ ହରାଇ ପ୍ରଥମ କରି ଫାଇନାଲ୍ ଖେଳିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର (ଆରସିବି)। ଲିଗ୍ ପର୍ୟ୍ୟାୟରେ ତୃତୀୟ ସ୍ଥାନରେ ଥିବା ଆରସିବି ସୀମିତ ସ୍କୋର ମଧ୍ୟରେ ମୁମ୍ବାଇକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ତେବେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ମିଳିଥିବା ୧୧୪ ରନର ଟାର୍ଗେଟକୁ ଅତି ସହଜରେ ଅତିକ୍ରମ କରି ଆରସିବି ଟାଇଟଲ୍ ହାତେଇ ପାରିଛି ।
