ବାଲେଶ୍ୱର : ଆନ୍ତର୍ଜାତୀୟ ମହିଳା ଦିବସ-୨୦୨୪, ତିନି ମହିଳା ସମ୍ମାନିତ
ବାଲେଶ୍ୱର : ବାଲେଶ୍ୱରର ଅଗ୍ରଣୀ ନୃତ୍ୟ କଳା ଓ ସଂସ୍କୃତିର ଅନୁଷ୍ଠାନ ନାଚ୍ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳନ କରାଯାଇଛି । ଅନୁଷ୍ଠାନର ମହିଳା ଶାଖା ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମ ଅଧ୍ୟକ୍ଷ ରୋନାଲିସା ପଣ୍ଡାଙ୍କ ନେତୃତ୍ୱରେ ମହିଳାଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ପ୍ରକାରର ଖେଳର ଆୟୋଜନ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୩ ଜଣ ମହିଳାଙ୍କୁ ମାନପତ୍ର, ଉପଢ଼ୌକନ ଏବଂ ଉପହାର ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ପୌରପାଳିକାର ଅଧ୍ୟକ୍ଷା ସବିତା ସାହୁ, ଅତିଥି ଭାବେ ଜିଲା ସଂସ୍କୃତି ଅଧିକାରୀ ମନସ୍ୱିନୀ ରାଉତ ଯୋଗଦେଇ ଅନୁଷ୍ଠାନର ଏହିପରି ପଦକ୍ଷେପକୁ ପ୍ରଶଂସା କରିଥିଲେ ।
ନାଚ୍ ଅନୁଷ୍ଠାନର ମହିଳାଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ନୃତ୍ୟ ପରିବେଷଣ କରାଯାଇଥିଲା । ମହିଳାମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ଖାଦ୍ୟ ମଧ୍ୟ ପରିବେଷଣ କରାଯାଇଥିଲା । ପରସ୍ପରକୁ ଆନ୍ତର୍ଜାତୀୟ ମହିଳା ଦିବସ ର ଶୁଭେଚ୍ଛା ଜଣାଇଥିଲେ । ପ୍ରାରମ୍ଭିକ ସୂଚନା ସଭାପତି ନୃତ୍ୟାଙ୍ଗନା ରୋନାଲିସା ପଣ୍ଡା ଦେଇଥିଲେ । ମହିଳାମାନେ ସଫଳତା ପାଇବାପାଇଁ ପ୍ରଥମେ ବଡ ସ୍ୱପ୍ନ ଦେଖିବା ଦରକାର ଏବଂ ଏହି ସ୍ୱପକୁ ସାକାର କରିବାକୁ ନିଷ୍ଠା, ସାଧନା ଓ କଠିନ ପରିଶ୍ରମ କରିବାକୁ ହେବ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ନିଷ୍ପାଦକ ଭାବେ ଶିକ୍ଷାବିତ୍ ସତ୍ୟମ କୁମାର ମିଶ୍ର ଏବଂ ଅତିଥି ପରିଚୟ କବି ଶ୍ରୀଦେବ ଦେଇଥିଲେ । ଏହି ଅବସରରେ ସମ୍ବର୍ଦ୍ଧିତ ପ୍ରତିଭା ମାନେ ସେମାନଙ୍କ ଅନୁଭୂତି ବଖାଣି ଥିଲେ । ସେହିପରି ନାଚ୍ରେ ନୃତ୍ୟ ଶିଖୁଥିବା ମହିଳା ମାନେ ମଧ୍ୟ ସେମାନଙ୍କ ଅନୁଭୂତି ବିଷୟରେ କହିଥିଲେ । କାର୍ଯ୍ୟକ୍ରମକୁ ନାଚ୍ର ମୁଖ୍ୟ ଉପଦେଷ୍ଟା ଅରୁଣାଂଶୁ ପାଣିଗ୍ରାହୀ ଏବଂ ନୃତ୍ୟ ଗୁରୁ ଶେଖ ରାଜା ପରିଚାଳନା କରିଥିଲେ ।
