ବାଲେଶ୍ୱର : ଶତାୟୁ ପୁରୁଷ ସ୍ୱାଧୀନତା ସଂଗ୍ରାମୀ ଡ. ରବୀନ୍ଦ୍ର ମୋହନ ଦାସଙ୍କ ୧୧୩ତମ ଜୟନ୍ତୀ ପାଳନ
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ନୂଆପାଢ଼ୀ ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ ସଭାଗୃହରେ ବାଲେଶ୍ୱର ମାଟିର ଯୁଗପୁରୁଷ ଡ. ରବୀନ୍ଦ୍ରମୋହନ ଦାସଙ୍କ ୧୧୩ ତମ ଜୟନ୍ତୀ ଡ. ରବୀନ୍ଦ୍ରମୋହନ ଦାସ ଫାଉଣ୍ଡେସନ୍ ଟ୍ରଷ୍ଟ ବାଲେଶ୍ୱର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ.ସନ୍ତୋଷ କୁମାର ତ୍ରିପାଠୀଙ୍କ ପୌରୋହିତ୍ୟରେ ବରିଷ୍ଠ କବି ଶ୍ରୀଦେବଙ୍କ ମଞ୍ଚ ପରିଚାଳନାରେ ଜୟନ୍ତୀ ପାଳନ ହୋଇଥିଲା । ବିଶେଷ ଅତିଥି ଭାବରେ ସୁବିଖ୍ୟାତ ପଦାର୍ଥ ବିଜ୍ଞାନବିତ୍ ଡ. ଜ୍ଞାନଦେବ ମହାରଣା, ମୁଖ୍ୟବକ୍ତା ଭାବରେ ବିଶ୍ୱବିଦ୍ୟାଳୟର ଭାଷା-ସାହିତ୍ୟ ବିଭାଗ ପ୍ରଫେସର ଡ. ଦେବାଶିଷ ପାତ୍ର, ସମ୍ମାନିତ ଅତିଥି ଭାବରେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ସବ୍ୟସାଚୀ ପଟ୍ଟନାୟକ, ପ୍ରବୀଣ ସ୍ତମ୍ଭକାର ତଥା ବରିଷ୍ଠ କବି ଗୁରୁକଲ୍ୟାଣ ମହାପାତ୍ର, ଆଇଆଇଟିଆନ୍ ଇଂ. ରୁଦ୍ରପ୍ରତାପ ଦାସ, ସାମାଜିକ କର୍ମୀ ସର୍ବେଶ୍ୱର ଦାସ ପ୍ରମୁଖ ସଂଗ୍ରାମୀ ରବୀନ୍ଦ୍ରମୋହନ ଦାସଙ୍କ ଅତୁଳନୀୟ ଜୀବନାଦର୍ଶ ସମ୍ପର୍କିତ ବକ୍ତବ୍ୟ ରଖିଥିଲେ ।
ପ୍ରଥମେ ମାଟିର ମହାପୁରୁଷ ରବୀନ୍ଦ୍ରମୋହନଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ତଥା ପୁଷ୍ପକୁଣ୍ଡରେ ନୀରଦାନ ପୂର୍ବକ ମୁଖ୍ୟଅତିଥି କୁଳପତି ଡ. ତ୍ରିପାଠୀଙ୍କ ଦ୍ୱାରା ଉତ୍ସବ ଉଦ୍ଘାଟନ କରାଯିବା ପରେ ପରେ ରବୀନ୍ଦ୍ରମୋହନଙ୍କ ଜ୍ୟେଷ୍ଠାକନ୍ୟା ଯଶୋଧାରା ଦାସଙ୍କ ଦ୍ୱାରା ଅତିଥିବୃନ୍ଦଙ୍କୁ ମଞ୍ଚ ସ୍ୱାଗତ ତଥା ଉପସ୍ଥିତ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର, ଅଧ୍ୟାପକ, ପ୍ରାଧ୍ୟାପକ, ସମ୍ମାନଷ୍ପଦ ଅତିଥିବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଶ୍ରୀମତୀ କଲ୍ୟାଣୀ ନନ୍ଦଙ୍କ ସୁମଧୁର ସଂଗୀତ ତଥା ଗୁରୁ ଲକ୍ଷ୍ମୀଧର ଜେନାଙ୍କ ତବ୍ଲା ମିଳିତ ସହଯୋଗରେ ଶାନ୍ତିଲତା ବିଶି, ତୃପ୍ତିରାଣୀ କର, ଅର୍ଚ୍ଚନା କର, ପୁଷ୍ପଲତା ଚକ୍ରବର୍ତ୍ତୀ ପ୍ରମୁଖ ରବୀନ୍ଦ୍ରମୋହନଙ୍କ ଉଦ୍ଦେଶ୍ୟରେ ସୁମଧୁର ସଂଗୀତ ପରିବେଷଣ କରିଥିଲେ ।
