ବାଲେଶ୍ୱର : କ୍ଷୁଦ୍ର ଉଦ୍ୟୋଗ ବିକାଶ ସମବାୟ ସମିତିର ଚତୁର୍ଦ୍ଦଶ ବାର୍ଷିକ ସାଧାରଣ ସଭା
ବାଲେଶ୍ୱର : ବାଲେଶ୍ୱର ସହର ହେମକାପଦା ସ୍ଥିତ ରୟାଲ କଲ୍ୟାଣମଣ୍ଡପ ପରିସରରେ କ୍ଷୁଦ୍ର ଉଦ୍ୟୋଗ ବିକାଶ ସମବାୟ ସମିତିର ଚତୁର୍ଦ୍ଦଶ ବାର୍ଷିକ ସାଧାରଣ ସଭା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୨ଶହ ଏସ୍ଏଚ୍ଜିର ୫ଶହରୁ ଅଧିକ ମହିଳା ଯୋଗଦେଇଥିଲେ ।
ବୈଠକରେ ସମିତିର ସଭାନେତ୍ରୀ ଶର୍ମିଷ୍ଠା ଦାସ ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ବାଲେଶ୍ୱର କୋପରେଟିଭ୍ ସର୍କଲ ଏଆର୍ସିଏସ୍ ଲକ୍ଷ୍ମୀଧର ରାଉତ ଯୋଗଦେଇ ସାମାଜିକ ଓ ଆର୍ଥିକ ବିକାଶରେ ମହିଳା ସ୍ୱୟଂ ସହାୟକ ଦଳର ଭୂମିକା ଓ କ୍ଷୁଦ୍ର ଉଦ୍ୟୋଗ ସମବାୟ ସମିତିର କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କର ଦକ୍ଷତା ବିକାଶ ତାଲିମ ଓ ସେମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ବଜାର ବ୍ୟବସ୍ଥା ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ଭାବେ ଡିଆର୍ସିଏସ୍ ଅଫିସର ସିଆଇ ସୁକାନ୍ତ ପାତ୍ର ଯୋଗଦେଇ ସମବାୟ ମାଧ୍ୟମରେ ଆର୍ଥିକ ବିକାଶର ବିଭିନ୍ନ ମଡ଼େଲ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ସମବାୟବିତ୍ ଅରୁଣ ଚାଟାର୍ଜୀ, ଅଜୟ ସାମଲ ଓ ସମାଜସେବୀ କୃଷ୍ଣଗୋପାଳ ପଣ୍ଡା ଉପସ୍ଥିତ ଥିଲେ । ସମବାୟ ସମିତିର ସମ୍ପାଦକ ପ୍ରଶାନ୍ତ କୁମାର ଦାସ ସମବାୟର ଆର୍ଥିକ ବିବରଣୀ ପ୍ରଦାନ କରିଥିଲେ ଓ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ । ଶେଷରେ ପରିଚାଳକ ସୁରେନ୍ଦ୍ର ନାଥ ପ୍ରଧାନ ଧନ୍ୟବାଦ ଦେଇଥିଲେ ।
