ଚିଲିକାରେ ପକ୍ଷୀ ଗଣନା ଆରମ୍ଭ, ୨୧ଟି ଟିମ୍ ନିୟୋଜିତ
ଟାଙ୍ଗୀ : ନିଳାମ୍ବୁ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ । ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲା ଅନ୍ତର୍ଭୁକ୍ତ ଥିବା ଚିଲିକାରେ ଅତିଥି ସାଜିଥିବା ଦେଶୀ-ବିଦେଶୀ ପକ୍ଷୀଙ୍କ ଗଣନା ପାଇଁ ନିୟୋଜିତ ହୋଇଛନ୍ତି ସ୍ବତନ୍ତ୍ର ତାଲିମପ୍ରାପ୍ତ ଟିମ୍ । ୫ଟି ରେଞ୍ଜରେ ପକ୍ଷୀ ଗଣନାରେ ନିୟୋଜିତ ଅଛନ୍ତି ୨୧ଟି ଟିମ୍ । ଜଳପଥରେ ୧୯ଟି ଟିମ ଏବଂ ସ୍ଥଳ ପଥରେ ୨ଟିମ୍ ନିୟୋଜିତ ହୋଇଥିବା ବେଳେ ଏଥିରେ ଅଛନ୍ତି ୧୫୦ରୁ ଅଧିକ କର୍ମଚାରୀ । ସକାଳ ୬ଟାରୁ ଦିନ ୧୨ ଯାଏଁ ପକ୍ଷୀଗଣନା କାମ ଚାଲିଛି । ଏଥି ପାଇଁ ମୋଟ ୨୧ଟି ନିୟୋଜିତ ହୋଇଛନ୍ତି ।
ଖବର ଅନୁଯାୟୀ, ଚଳିତ ବର୍ଷ ସମଗ୍ର ଚିଲିକା ଯଥା ଖୋର୍ଦ୍ଧା ଜିଲ୍ଲା, ଗଞ୍ଜାମ ଜିଲ୍ଲା ଏବଂ ପୁରୀ ଜିଲ୍ଲା ସଲଗ୍ନ ଚିଲିକାରେ ଶୀତ ଋତୁରେ କେତେ ସଂଖ୍ୟକ ଏବଂ କେତେ ପ୍ରଜାତିର ଦେଶୀ-ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି । ତାହାର ରେକର୍ଡ କରାଯିବା ପାଇଁ ସରକାରୀ ଭାବେ ଗଣନା କରାଯାଇଥାଏ । ପକ୍ଷୀଙ୍କ ଗଣନା ପାଇଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ, ବାଲୁଗାଁ ଅଧିନରେ ଥିବା ୫ଟି ରେଞ୍ଜ (ଚିଲିକା, ସାତପଡ଼ା, ରମ୍ଭା, ନୂଆପଡା, ଟାଙ୍ଗୀ ) ରେ ସର୍ବମୋଟ ୨୧ଟି ଟିମ୍ ନିୟୋଜିତ ହୋଇଛନ୍ତି ।
ତେବେ ସ୍ଥଳପଥରେ ୨ଟି ଟିମ୍ ଏବଂ ଜଳ ପଥରେ ୧୯ଟି ଟିମ୍ ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି । ପ୍ରତି ଟିମ୍ ରେ ୫/୬ ଜଣ ଗଣନାକାରୀ ଅଛନ୍ତି । ପକ୍ଷୀ ଗଣନା ସମୟରେ ଚିଲିକା ମଧ୍ୟକୁ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କ ଯିବା ଉପରେ କଟକଣା ଲଗାଯାଇଛି। ପକ୍ଷୀ ଗଣନା ପରେ e_birds app ନାମକ ଏକ ସାଇଟ୍ରେ ରେକର୍ଡ କରାଯିବ ।
ବାଇନା-କୁଲାର୍ ,ବାର୍ଡସ୍ ଗାଇଡ୍ ବୁକ୍ , କ୍ୟାମେରା ଏବଂ ଜିପିଏସ ଟ୍ରାକରେ ବାର୍ଡ-ଏକ୍ସପର୍ଟମାନଙ୍କ ସାହାଯ୍ୟରେ ଏହି ଗଣନା କରାଯାଉଛି । ଏହି ଗଣନା କାର୍ଯ୍ୟ ପାଇଁ ୧୨୦ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏହି ଗଣନା କାର୍ଯ୍ୟରେ ବନ୍ୟପ୍ରାଣୀ ବିଭାଗର କର୍ମଚାରୀ, ପକ୍ଷୀ ସୁରକ୍ଷା ବାହିନୀ , ଏବଂ ପକ୍ଷୀ ସୁରକ୍ଷା ସଂଗଠନର କର୍ମକର୍ତା, ଓୟୁଏଟିର କର୍ମଚାରୀ-ଛାତ୍ରଛାତ୍ରୀ, ସିଡିଏର କର୍ମଚାରୀ, ପକ୍ଷୀ ବିଶେଷଜ୍ଞ, ପରିବେଶବିତ୍ ମାନେ ସାମିଲ ହୋଇଛନ୍ତି ।
ଚଳିତ ବର୍ଷ ଚିଲିକାକୁ କେତେ ପ୍ରଜାତିର ଓ କେବେ ସଂଖ୍ୟାରେ ପକ୍ଷୀ ଆସିଛନ୍ତି ତାର ଟିକିନିଖି ହିସାବ କରାଯିବ । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ସହଯୋଗରେ ବିଭିନ୍ନ ସ୍ବଛାସେବୀ ସଂଗଠନ, ପକ୍ଷୀ ସୁରକ୍ଷା ବାହିନୀ, ପକ୍ଷୀ ବିଶେଷଜ୍ଞଙ୍କୁ ନେଇ ପକ୍ଷୀ ଗଣନା କରାଯାଉଛି । ବାଇନାକୁଲର, ଜିପିଏସ୍ ଏବଂ ଗାଇଡ୍ ବୁକ୍ ମାଧ୍ୟମରେ ହେଉଛି ଗଣନା । ଏହାର ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି ମଧ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି ଚିଲିକା ବନ୍ୟପ୍ରାଣୀ ବିଭାଗର ଡିଏଫଓ ।
