ବାଲେଶ୍ୱର : କିଶୋରୀ ସଶକ୍ତିକରଣ ପାଇଁ ଅଣପାରମ୍ପରିକ ଖେଳ
ରେମୁଣା : ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ଭୀମପୁରା ସ୍ପୋର୍ଟସ ଗ୍ରାଉଣ୍ଡରେ ଏକ୍ସନଏଡ ୟୁନିସେଫର ମିଳିତ ଆନୁକୂଲ୍ୟରେ ବାଲେଶ୍ୱର ଜିଲା ପ୍ରଶାସନ ତରଫରୁ କିଶୋରୀ ବାଳିକା ଓ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ନେଇ ଏକ ଅଣ-ପାରମ୍ପରିକ ଖେଳର ଆୟୋଜନ କରାଯାଇଥିଲା । ଏହି ଖେଳରେ ତିନୋଟି କିଶୋରୀ ବାଳିକା ଦଳ ଓ ଦୁଇଟି ଅଙ୍ଗନୱାଡ଼ି କର୍ମୀମାନଙ୍କ ଦଳ ଅଂଶଗ୍ରହଣ କରିଥିଲେ ।
ଉଦ୍ଘାଟନୀ ଉତ୍ସବରେ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ସମାଜରେ ଲିଙ୍ଗଗତ ସମାନତା ରକ୍ଷା କରିବା ତଥା ଝିଅମାନଙ୍କ ଭିତରେ ନେତୃତ୍ୱର ବିକାଶ କରିବା । ଅଣ ପାରମ୍ପରିକ ଖେଳକୁ ଏକ ମାଧ୍ୟମ ଭାବେ ନେଇ ସମାନତାକୁ ବଜାୟ ରଖି ଆମେ କିପରି ଝିଅ ପୁଅମାନଙ୍କ ଭିତରେ ଭେଦ ଭାବ ନକରି ଝିଅମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେବା । ଝିଅମାନଙ୍କୁ ପାରମ୍ପରିକ କ୍ରୀଡ଼ାରୁ ବାହାରକୁ ଆଣି ଘରର ଚାରିକାନ୍ଥରୁ ବାହାରକୁ ଆଣି ଖେଳ ମାଧ୍ୟମରେ ନିଜ ଭିତରେ ଆତ୍ମ ବିଶ୍ୱାସକୁ ବୃଦ୍ଧି କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରକାଶ କରିଥିଲେ । ଏକ୍ସନଏଡର ବାଲେଶ୍ୱର ସଂଯୋଜିକା ଶକୁନ୍ତଳା ଦାଶ, ଏକ୍ସନଏଡ଼ ମୟୁରଭଞ୍ଜ ସଂଯୋଜକ ପ୍ରକାଶ କୁମାର ବାରିକ, ଜିଲା ସୁରକ୍ଷା ଅଧିକାରିଣୀ ସୁକାନ୍ତି ସେଠୀ, ବାହାନଗା ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ପ୍ରୀତି ପାଢ଼ୀ, ରେମୁଣା ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସୌଭାଗ୍ୟ ରାଉତ, ମୁନିସିପାଲିଟି ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସାଗରିକା ଦତ୍ତ ପ୍ରମୁଖ ଯୋଗଦେଇଥିଲେ । ବନ୍ଧୁତ୍ୱପୂର୍ଣ୍ଣ ଖେଳର ପୁରସ୍କାର ବିତରଣ ଉତ୍ସବରେ ଜିଲା ଶିଶୁସୁରକ୍ଷା ଅଧିକାରିଣୀ ମନସ୍ୱିନୀ ରାଉତ, ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲା ସମାଜ କଲ୍ୟାଣ ଅଧିକାରିଣୀ ଶିଖାରାଣୀ ପୋଦାର ଯୋଗ ଦେଇ ସମସ୍ତ ଦଳଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ ।
