ବାଲେଶ୍ୱର : ଦିନକରେ ୧୫୭ ସଂକ୍ରମିତ ଓ ୨୭୧ ସୁସ୍ଥ
ବାଲେଶ୍ୱର : ରାଜ୍ୟର ଅନ୍ୟାନ୍ୟ ଜିଲା ଭଳି ବାଲେଶ୍ୱରରେ କରୋନା ସଂକ୍ରମଣ ହାର ହ୍ରାସ ପାଇବାକୁ ନେଇ ସାଧାରଣରେ ଆଶ୍ୱସ୍ତି ପରିଲକ୍ଷିତ ହୋଇଛି । ପୂର୍ବଭଳି ଜନଜୀବନରେ ପୁଣି ସ୍ୱାଭାବିକ ସ୍ଥିତି ଫେରିବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲାର ବିଭିନ୍ନ ଅଞ୍ଚଳରୁ ୧୫୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ୱର ସହରର ଅଙ୍ଗାରଗଡ଼ିଆରୁ ୬ଜଣ, ଶୋଭାରମପୁରରୁ ୩, ମୋତିଗଞ୍ଜରୁ ୩, ବିଡିଏ କଲୋନିରୁ ୩, ବାରବାଟିରୁ ୨ ଓ ମାକଲପୁରରୁ ୨ଜଣଙ୍କ ସମେତ ଏଡିଏମ ଛକ, ଅରଡ଼ବଜାର, ସହଦେବଖୁଣ୍ଟା, ଗୋପାଳଗାଁ, ସିନେମା ଛକ, ମାନସିଂବଜାର, ମଠସାହି, ଓଟି ରୋଡ଼ ପ୍ରଭୃତି ଅଞ୍ଚଳରୁ ଜଣେ ଲେଖାଏଁ ସଂକ୍ରମିତ ରହିଛନ୍ତି । ସେହିଭଳି ବାହାନଗା ବ୍ଲକରୁ ୫ଜଣ, ବାଲିଆପାଳରୁ ୧୪, ବସ୍ତାରୁ ୧୭ ଭୋଗରାରୁ ୧୭, ଜଳେଶ୍ୱରରୁ ୨୨, ଖଇରାରୁ ୨, ନୀଳଗିରରୁ ୨୭, ଔପଦାରୁ ୧୭, ରେମୁଣାରୁ ୧୫, ସଦରରୁ ୯ଜଣ ଓ ସୋର ବ୍ଲକରୁ ୨ଜଣ ନୂଆ ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି । ଅଦ୍ୟାବଧି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୩୪,୮୧୫ରେ ପହଞ୍ଚିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨୭୧ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ଜିଲାରେ ମୋଟ ୩୨,୧୩୪ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ସରକାରୀ ଭାବେ କୁହାଯାଇଛି । ସକ୍ରିୟ ଥିବା ୨,୫୪୩ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨,୪୨୮ଜଣ ଗୃହ ସଙ୍ଗରୋଧରେ ଏବଂ ୧୧୫ଜଣ କୋଭିଡ ଡାକ୍ତରଖାନା ଓ କୋଭିଡ ଯତ୍ନ କେନ୍ଦ୍ର ରହି ଚିକିତ୍ସିତ ହେଉଛନ୍ତି । ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏବେ ୧୩୩ରେ ସ୍ଥିର ରହିଥିବା ସରକାରଙ୍କ ୱେବସାଇଟରେ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ସୋମବାରଠାରୁ ଆରମ୍ଭ ହୋଇଥିବା ସାମୂହିକ ଟିକାକରଣରେ ଦ୍ୱିତୀୟ ଦିନରେ ଆଜି ୮୪ ଗୋଟି କେନ୍ଦ୍ରରେ ୨୧,୩୬୧ଜଣ ଟିକା ନେଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଅଦ୍ୟାବଧି ବାଲେଶ୍ୱର ଜିଲାର ମୋଟ ୬,୭୯,୫୦୯ଜଣଙ୍କୁ ଟିକା ଦିଆଯାଇଛି ।
