ହାଇକୋର୍ଟରେ ଦୁଇ ଓଡ଼ିଆଙ୍କୁ ବିଚାରପତି ଭାବେ ନିଯୁକ୍ତି
ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟରେ ଦୁଇଜଣ ଓଡ଼ିଆଙ୍କୁ ବିଚାରପତି ଭାବେ ନିଯୁକ୍ତି ମିଳିଛି। ସେମାନେ ହେଲେ ବରିଷତ୍ଠ ଆଇନଜୀବୀ ଶିବଶଙ୍କର ମିଶ୍ର ଏବଂ ବରିଷ୍ଠ ବିଚାର ବିଭାଗୀୟ ଅଧିକରୀ ଆନନ୍ଦ ଚନ୍ଦ୍ର ବେହେରା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସୁପ୍ରିମ୍ କୋର୍ଟଙ୍କ କଲିଜିଅମ୍ ସୁପାରିଶ୍ ଆଧାରରେ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ଆସନ୍ତା ସପ୍ତାହରେ ସେମାନେ ଶପଥ ଗ୍ରହଣ କରିବେ। ସେମାନଙ୍କ ଯୋଗଦାନ ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୨ ରେ ପହଞ୍ଚିବ। ତଥାପି ଆହୁରି ୧୧ ପଦବୀ ଖାଲି ରହିବ। କାରଣ ଏବେ ସମୁଦାୟ ମଞ୍ଜୁରୀପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା ହେଉଛି ୩୩।
ଶିବଶଙ୍କର ମିଶ୍ରଙ୍କ ଘର ଜୟପୁରରେ ହୋଇଥିବା ବେଳେ ସେ କୋରାପୁଟ ଜିଲ୍ଲାର ପ୍ରଥମ ବ୍ୟକ୍ତି ଭାବେ ହାଇକୋର୍ଟ ଜଜ୍ ପଦବୀ ମଣ୍ଡିତ କରିବେ। ସେ ପୂର୍ବରୁ ହାଇକୋର୍ଟ ଏବଂ ସୁପ୍ରିମ୍ କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରି ଆସିଛନ୍ତି। ତାଙ୍କ ଜନ୍ମ ୧୯୬୮ ମେ ୩ ତାରିଖରେ। ସେ ସ୍ବର୍ଗତ ଅନଙ୍ଗଭୀମ ମିଶ୍ର ଓ ସ୍ବର୍ଗତ ଶଶିରେଖା ମିଶ୍ରଙ୍କ ପୁଅ । କୋରାପୁଟର ଜୟପୁର ଲ କଲେଜରୁ ଏଲଏଲବି ଡିଗ୍ରି ହାସଲ କରିଛନ୍ତି। ଓକିଲ ଭାବେ ତାଙ୍କର ୩୦ ବର୍ଷର ଅନୁଭବ ରହିଛି। ଦେୱାନୀ, ଫୌଜଦାରୀ ଓ ଚାକିରି ସଂପର୍କିତ ଆଇନରେ ତାଙ୍କ ବିଶେଷ ଦକ୍ଷତା ରହିଛି। ସେହିପରି ଆନନ୍ଦ ଚନ୍ଦ୍ର ବେହେରାଙ୍କ ଜନ୍ମ ୧୯୬୪ ମେ ୨୩ରେ। ରାଜ୍ୟର ବିଭିନ୍ନ ସ୍ଥାନରେ ସେ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ଶ୍ରୀ ବେହେରା ରାଜ୍ୟ ଭିଜିଲାନ୍ସରେ ଲିଗାଲ ଆଡଭାଇଜର ଭାବେ କାର୍ଯ୍ୟରତ ଥିବା ବେଳେ ସୁପ୍ରିମକୋର୍ଟ କଲେଜିୟମ ତାଙ୍କ ନାଁ ସୁପାରିସ କରିଥିଲା।
