ବାଲେଶ୍ୱର : ବସ୍ତାରେ ପୁଣି ୫ଡେଙ୍ଗୁ ରୋଗୀ ଚିହ୍ନଟ
ବସ୍ତା : ରାଜ୍ୟରେ ଡେଙ୍ଗୁ ପରିସ୍ଥିତି ଭୟାବହ । ବିଶେଷ କରି ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ରାଜ୍ୟର ବିଭିନ୍ନ ଜିଲାମାନଙ୍କରେ ମଧ୍ୟ ଏହି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା ବସ୍ତା ବ୍ଲକର ବସ୍ତାର ବିଭିନ୍ନ ଅଞ୍ଚଳରେ ଗତ ଦୁଇ ଦିନ ମଧ୍ୟରେ ୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସାହାଡ଼ା ପଞ୍ଚାୟତ ପୋହଣା ଗ୍ରାମର ଜଣେ ପୁରୁଷ, ଜଣେ ମହିଳା, ସାହାଡ଼ା ଗ୍ରାମର ଦୁଇ ଜଣ ମହିଳା ଓ ଅମର୍ଦ୍ଦାରୋଡ ଅଞ୍ଚଳର ଜଣେ ପୁରୁଷ ବୋଲି ମେଡ଼ିକାଲ ସୂତ୍ରରୁ ପ୍ରକାଶ ।
ସୂଚନା ଯେ, ଆକ୍ରାନ୍ତମାନେ ପ୍ରଥମେ ଭୀଷଣ ଜ୍ୱରରେ ପୀଡ଼ିତ ହୋଇଥିଲେ । ଔଷଧ ଖାଇବା ପରେ ମଧ୍ୟ ଜ୍ୱର ନ ଛାଡ଼ିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ରକ୍ତ ପରୀକ୍ଷା କରାଯାଇଥିଲା । ଏହା ପରେ ସେମାନଙ୍କର ଡେଙ୍ଗୁ ଚିହ୍ନଟ ହୋଇଥିଲା । ଏବେ ସମସ୍ତ ଆକ୍ରାନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବାର ଜଣାପଡ଼ିଛି ।
