ଫିଫା ମହିଳା ବିଶ୍ୱକପ୍ ୨୦୨୩ : ଇଂଲଣ୍ଡକୁ ହରାଇ ଟାଇଟଲ ଜିତିଲା ସ୍ପେନ୍
Soccer Football - FIFA Women's World Cup Australia and New Zealand 2023 - Final - Spain v England - Stadium Australia, Sydney, Australia - August 20, 2023 Spain players celebrate with the trophy after winning the World Cup REUTERS/Carl Recine
ସିଡନୀ: ଫିଫା ମହିଳା ବିଶ୍ୱକପ୍ ୨୦୨୩ । ବିଶ୍ୱକପ୍ ଟାଇଟଲ୍ ଜିତିଲା ସ୍ପେନ୍ ମହିଳା ଫୁଟବଲ୍ । ଫାଇନାଲରେ ଇଂଲଣ୍ଡକୁ ୧-୦ରେ ହରାଇ ପ୍ରଥମ ଥର ପାଇଁ ବିଶ୍ବ ଚାମ୍ପିୟନ ହୋଇଛି ସ୍ପେନ୍।
ଅଷ୍ଟ୍ରେଲିଆର ସିଡନୀରେ ରବିବାର ଖେଳାଯାଇଥିବା ଫାଇନାଲରେ ସ୍ପେନ୍ ପାଇଁ କ୍ୟାପଟେନ୍ ଓଲଗା କାର୍ମୋନା ଗୋଲ୍ କରିଥିଲେ, ଯାହା ତାଙ୍କ ଦଳକୁ ଚାମ୍ପିୟନ କରାଇବାରେ ଯଥେଷ୍ଟ ସାବ୍ୟସ୍ତ ହୋଇଥିଲା । କାର୍ମୋନା ସ୍ୱିଡେନ ବିପକ୍ଷ ସେମିଫାଇନାଲରେ ମଧ୍ୟ ବିଜୟ ସୂଚକ ଗୋଲ୍ କରିଥିଲେ। ସ୍ପେନ ଦଳ ପ୍ରଥମ ଥର ପାଇଁ ମହିଳା ଫୁଟବଲ ବିଶ୍ୱକପ ଜିତିଛି । ସ୍ପେନ ଓ ଇଂଲଣ୍ଡ ପ୍ରଥମ ଥର ପାଇଁ ଫାଇନାଲ୍ ଖେଳୁଥିଲେ । ଉଭୟ ପୁରୁଷ ଓ ମହିଳା ବିଶ୍ୱକପ ଫୁଟବଲ ଟାଇଟଲ୍ ଜିତିବାରେ ସ୍ପେନ୍ ହେଉଛି ବିଶ୍ବର ଦ୍ବିତୀୟ ଦେଶ।
ସୂଚନା ଯେ, ସେମିଫାଇନାଲରେ ସ୍ପେନ୍ ସ୍ୱିଡେନକୁ ୨-୧ରେ ପରାସ୍ତ କରି ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା। ଅନ୍ୟପଟରେ ସେମିଫାଇନାଲରେ ଇଂଲଣ୍ଡ ଆୟୋଜକ ଅଷ୍ଟ୍ରେଲିଆକୁ ୩-୧ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଇଂଲଣ୍ଡର ବି ଏହା ପ୍ରଥମ ସେମିଫାଇନାଲ୍ ପ୍ରବେଶ ଥିଲା। ପୂର୍ବରୁ ଇଂଲଣ୍ଡ ମହିଳା ଦଳ ମଧ୍ୟ କେବେ ବି ଫିପା ମହିଳା ବିଶ୍ୱକପ୍ ଜିତି ନାହିଁ।
ସ୍ପେନ୍ ଓ ଇଲଂଣ୍ଡ ପ୍ରଥମ କରି ଫାଇନାଲ୍ ମ୍ୟାଚ୍ ଖେଳୁଥିବାରୁ ବିଶ୍ୱକପ୍ ନେଇ ଦୁଇ ଟିମ୍ ମଧ୍ୟରେ ନାହିଁ ନଥିବା ଉତ୍ସାହ ରହିଥିଲା। ଦୁହିଁଙ୍କର ଲଢ଼େଇ ହୋଇଥିଲେ ବି ସ୍ପେନ୍ ଆଗରେ ହାରିଥିଲା ଇଂଲଣ୍ଡ। ଏହି ବିଜୟ ସହିତ ସ୍ପେନ୍ ଫିଫା ମହିଳା ବିଶ୍ୱକପ୍ ଜିତିବାର ପଞ୍ଚମ ଟିମ୍ ହେବାର ଗୌରବ ଅର୍ଜନ କରିଛି।
ମହିଳା ଫିଫା ବିଶ୍ୱକପ୍ ଟାଇଟଲ ଉପରେ ନଜର ପକାଇଲେ ଏପର୍ଯ୍ୟନ୍ତ ଆମେରିକା ମହିଳା ଫୁଟବଲ ଟିମ୍ ୪ଟି ଟାଇଟଲ ଜିତିଥିବା ବେଳେ, ଜର୍ମାନୀ ୨ ଥର, ନରୱେ ଏବଂ ଜାପାନ ଥରେ ଲେଖାଏ ବିଶ୍ୱକପ୍ ଟାଇଟଲ ଜିତିଛନ୍ତି। ସେହିପରି ଇଂଲଣ୍ଡ ଏପର୍ଯ୍ୟନ୍ତ ଗୋଟିଏ ବି ଟାଇଟଲ ଜିତି ନାହିଁ।
