୫-ଟି ସଚିବଙ୍କୁ କାଳିମାଡ଼ ଘଟଣା, ଅଭିଯୁକ୍ତ ଭାସ୍କରକୁ ଛାଡ଼ିଲା ପୋଲିସ
ପୁରୀ : ପୁରୀ ଜିଲା ସତ୍ୟବାଦୀ ଗସ୍ତରେ ଥିବାବେଳେ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ କରିଥିବା ଭାସ୍କର ସାହୁକୁ ପୁଲିସ ଛାଡି ଦେଇଥିବା ଜଣାପଡିଛି। କାଳିମାଡ଼ ଘଟଣା ପରେ ସମ୍ପୃକ୍ତ ଭାସ୍କର ସାହୁକୁ ପୁଲିସ ଅଟକ ରଖି ପଚରାଉଚୁରା କରିଥିଲା।
୫-ଟି ସଚିବଙ୍କ ନିର୍ଦ୍ଦେଶ କ୍ରମେ ଭାସ୍କରଙ୍କୁ ମୁକ୍ତ କରାଯାଇଛି। ଏହି ଘଟଣାରେ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଭାସ୍କରକୁ ବିଳମ୍ବିତ ରାତି ଯାଏଁ ଜେରା କରିଥିଲେ। ଅନୁଶୋଚନା ଓ ଦୁଃଖ ପ୍ରକାଶ କରିବା ପରେ ତାଙ୍କୁ ବଡ଼ଭାଇ ଧନେଶ୍ବର ସାହୁଙ୍କ ବ୍ୟକ୍ତିଗତ ମୁଚାଲିକା ପରେ ପୁଲିସ ଛାଡ଼ି ଦେଇଥିବା ସୂଚନା ରହିଛି। ଆଜି ସକାଳେ ଭାସ୍କର ସାହୁଙ୍କ ବଡ଼ଭାଇ ଧନେଶ୍ବର ସାହୁ ଓ ଗାଁର ୫ଜଣ ମୁରବି ତାଙ୍କୁ ସାକ୍ଷୀଗୋପାଳ ଥାନାରୁ କଣାସ ବ୍ଲକ ବଡ଼ାଲ ପଞ୍ଚାୟତ ହରିପୁର ନିଜ ଗାଁକୁ ନେଇଛନ୍ତି। ଭାସ୍କର କହିଛି ଯେ ସେ କୌଣସି ରାଜନୈତିକ ଦଳର ସମର୍ଥକ ନୁହେଁ ଓ ସେ ଘଟଣାସ୍ଥଳରେ ହିଁ କାଳି ଫିଙ୍ଗିବା ପାଇଁ ନିଷ୍ପତ୍ତି ନେଇଥିଲା।
ଗତ ଶନିବାର ସତ୍ୟବାଦୀରେ ୫-ଟି ସଚିବ ଭି କେ ପାଣ୍ଡିଆନ ଓ ପୁରୀ ଜିଲାପାଳ ସମର୍ଥ ବର୍ମାଙ୍କୁ କାଳିମାଡ଼ ହୋଇଥିଲା। ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ କଲେଜ ପରିସରରେ ଆୟୋଜିତ ସଭାରେ ମହିଳାଙ୍କ ସହ ହାତ ମିଳାଉଥିବା ବେଳେ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକ ବଡ଼ାଲ ପଞ୍ଚାୟତ ହରିପୁର ଗାଁର ଭାସ୍କର ସାହୁ ଉଭୟଙ୍କୁ କାଳିମାଡ଼ କରିଥିଲେ। ଭିଡ଼ ଭିତରୁ ଭାସ୍କର ତାଙ୍କ ଉପରକୁ ଏକ ପିଚକାରୀରେ କାଳିମାଡ଼ କରିଥିଲେ। କାଳି ସିଧାସଳଖ ୫-ଟି ସଚିବ ଓ ଜିଲ୍ଲାପାଳଙ୍କ ମୁହଁରେ ପଡ଼ିଥିଲା। ଗତ ପଞ୍ଚାୟତ ନିର୍ବାଚନରେ ଭାସ୍କର ବଡ଼ାଲ ପଞ୍ଚାୟତ ସମିତି ସଭ୍ୟ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଏହି ଘଟଣା ପରେ ପୁଲିସ ତାଙ୍କୁ ଅଟକ ରଖିବା ସହ ପୁରୀର କୌଣସି ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଥିଲା।
ସୂଚନା ଯେ, ଭାସ୍କର ଜଣେ ଏଲ୍ଆଇସି ଏଜେଣ୍ଟ୍। ସେ ସାମାଜିକ ଗଣମାଧ୍ୟମ ଜରିଆରେ ଗାଁ ସମସ୍ୟାର ସମାଧାନ କରିବାକୁ ଉଦ୍ୟମ ଜାରି ରଖିଥିଲେ। ବିଶେଷକରି ଦୟା ନଦୀ ସୁରକ୍ଷା ଅଭିଯାନ ନାମରେ ସ୍ଥାନୀୟ ଅଞ୍ଚଳରେ ଜନ ସଚେତନତା କାର୍ଯ୍ୟ ଜାରି ରଖିଥିଲେ। ଭୁବନେଶ୍ୱର ମହାନଗରର ପ୍ରଦୂଷିତ ଗଙ୍ଗୁଆ ନାଳ ଜଳ ଦୟା ନଦୀରେ ପ୍ରବେଶ କରୁଛି। ଏହାକୁ ମଧ୍ୟ ସେ ବିରୋଧ କରିବା ସହିତ ଦୟା ନଦୀର ସୁରକ୍ଷା ନିମନ୍ତେ ସେ ୫-ଟି ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। କେବଳ ସେତିକି ନୁହେଁ, ନିକଟରେ ବଡାଲ୍ରୁ ହରିପୁର ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ସେ ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ପାଇପ ବିଛା ଯାଇଥିଲା। କୌଣସି କାରଣରୁ ଏହା ଅଧାରେ ଅଟକି ରହିଛି। ଏସବୁ ଅସନ୍ତୋଷର ପ୍ରତିଫଳନ ସ୍ବରୂପ ସେ ଏଭଳି କାଳିମାଡ଼ କରିଥିବା ଚର୍ଚ୍ଚା ହେଉଛି।
