ଖେଳ ରତ୍ନ ପାଇଁ ମିତାଲି ଓ ଅଶ୍ଵିନଙ୍କ ନାମ ସୁପାରିଶ କରିବ ବିସିସିଆଇ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଦେଶର ସର୍ବୋଚ୍ଚ ଖେଳ ସମ୍ମାନ ରାଜୀବ ଗାନ୍ଧୀ ଖେଳ ରତ୍ନ ପାଇଁ ମହିଳା କ୍ରିକେଟ୍ ଦଳର ବରିଷ୍ଠ ଖେଳାଳି ମିତାଲି ରାଜ ଓ ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କ ନାମ ସୁପାରିଶ କରିବାକୁ ନିଷ୍ପତ୍ତି ନେଇଛି। ସେହି ପରି ଅର୍ଜୁନ ପୁରସ୍କାର ପାଇଁ ବୋର୍ଡ ବରିଷ୍ଠ ବ୍ୟାଟସମ୍ୟାନ ଶିଖର ଧାଓ୍ଵନ, ଲୋକେଶ ରାହୁଲ ଓ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ନାମ ପଠାଇବାକୁ ନିଷ୍ପତ୍ତି ନେଇଛି। ଗତ ବର୍ଷ ଧାଓ୍ଵନଙ୍କ ନାମକୁ ଅଣଦେଖା କରାଯାଇଥିଲା।
ବିସିସିଆଇ ଅଧିକାରୀ କହିଛନ୍ତି, ଅର୍ଜୁନ ପୁରସ୍କାର ପାଇଁ କୌଣସି ମହିଳା କ୍ରିକେଟ୍ ଖେଳାଳିଙ୍କୁ ନାମିତ କରାଯାଇ ନାହିଁ। ଖେଳ ରତ୍ନ ପାଇଁ ମିତାଲିଙ୍କ ନାମ ସୁପାରିଶ କରାଯାଇଛି। ଏହା ଦେଖିବା ବାକି ରହିଲା ଯେ, କ୍ରୀଡା ମନ୍ତ୍ରଣାଳୟ ଦ୍ଵାରା ନିଯୁକ୍ତ କମିଟି ଅଲିମ୍ପିକ ବର୍ଷରେ ମିତାଲିଙ୍କୁ ପୁରସ୍କାର ପାଇଁ ଚୟନ କରୁଛନ୍ତି ନା ନାହିଁ। ମିତାଲି ଗତ ସପ୍ତାହରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ୨୨ ବର୍ଷ ପୂରଣ କରିଥିଲେ। ୩୮ ବର୍ଷୀୟ ଏହି ମହିଳା ଖେଳାଳି ଦିନିକିଆ କ୍ରିକେଟ୍ରେ ସାତ ହଜାରରୁ ଅଧିକ ରନ କରିଛନ୍ତି। ସେ ଦିନିକିଆରେ ବିଶ୍ଵର ସର୍ବାଧିକ ରନ ହାସଲକାରୀ ମହିଳା ବ୍ୟାଟସମ୍ୟାନ। ମିତାଲିଙ୍କ ପରି ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇ ସାରିଥିବା ଅଶ୍ଵିନ ଟେଷ୍ଟ କ୍ରିକେଟ୍ରେ ଭାରତ ପାଇଁ କ୍ରମାଗତ ଭଲ ପ୍ରଦର୍ଶନ କରିଛନ୍ତି। ସେ ୭୯ ଟେଷ୍ଟରେ ୪୧୩ ଓ୍ଵିକେଟ୍ ହାସଲ କରିବା ସହିତ ଏକ ଦିବସୀୟ ଓ ଟି-୨୦ କ୍ରିକେଟ୍ରେ କ୍ରମଶଃ ୧୫୦ ଓ ୪୨ ଓ୍ଵିକେଟ୍ ହାସଲ କରିଛନ୍ତି। ଏବେ ସେ ସୀମିତ ଓଭର କ୍ରିକେଟ୍ ଖେଳୁ ନାହାନ୍ତି। ଅନ୍ୟପଟେ ଶିଖର ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳର ନେତୃତ୍ଵ ନେଇଛନ୍ତି। ସେ ମଧ୍ୟ ଅର୍ଜୁନ ପୁରସ୍କାର ପାଇଁ ପ୍ରବଳ ଦାବିଦାର। ବାମହାତୀ ଏହି ବ୍ୟାଟସମ୍ୟାନ ୧୪୨ ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍ରେ ୫୯୭୭ ରନ କରିଛନ୍ତି। ଏହା ବ୍ୟତୀତ ଟେଷ୍ଟ କ୍ରିକେଟ୍ ଓ ଟି-୨୦ ମ୍ୟାଚ୍ରେ ଭାରତ ପାଇଁ କ୍ରମଶଃ ୨୩୧୫ ଓ ୧୬୭୩ ରନ କରିଛନ୍ତି।
