ଖୋଲିବ ଟ୍ୟାକ୍ସି ଡ୍ରାଇଭର ଡେଥ୍ ମିଷ୍ଟ୍ରି : ଦୁଇ ଅଭିଯୁକ୍ତ ଗିରଫ, ଆଜି କରିବେ ସିନ ରିକ୍ରିଏସନ
ଆନନ୍ଦପୁର : କଟକ ଟ୍ୟାକ୍ସି ଡ୍ରାଇଭର ଭଗବାନ ବଇରିରଞ୍ଜନଙ୍କ ମର୍ଡର ମିଷ୍ଟ୍ରି ଉପରୁ ହଟିଲା ପରଦା । ଭଡାରେ ନେଇଥିବା ଅଭିଯୁକ୍ତ ଦୁଇ ଯୁବକଙ୍କୁ ଗିରଫ କଲା ପୋଲିସ । ଜଣେ ରାମଚନ୍ଦ୍ରପୁର ଥାନା ଅଞ୍ଚଳ ବାତୋ ଗ୍ରାମର ହୋଇଥିବା ବେଳେ ଅନ୍ୟ ଜଣେ ନିଆଳି ପତ୍ରକଣା ଅଞ୍ଚଳର ବୋଲି ଜଣାପଡିଛି । ଉଭୟଙ୍କୁ ଘଟଣା ସମ୍ପର୍କରେ ଘଷିପୁରା ଥାନାରେ ପଚରାଉଚରା ଚାଲିଥିବା ବେଳେ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି । ତେବେ ଗାଡି ଭଡାକୁ ନେଇ ହୋଇଥିଲା ହତ୍ୟାକାଣ୍ଡ । ସାଙ୍ଗରେ ଥିବା ଯୁବତୀ ଏବେବି ଫେରାର ଅଛନ୍ତି । ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ ପୋଲିସ ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ୍ କରିବ ।
ସୂଚନା ଯେ, କଟକ କଲେଜ ଛକରୁ କାର୍ ନେଇ ଯାଜପୁର ରୋଡ଼ ଭଡ଼ାରେ ଗଲେ ଡ୍ରାଇଭର ଭଗବାନ ବଇରିରଞ୍ଜନ । ୨୪ ତାରିଖ ରାତି ସାଢ଼େ ୮ଟାରେ ବାହାରିଥିଲେ ଯାଜପୁର । ଆଉ ରାତି ସାଢ଼େ ୧୦ଟା ପରେ ଡ୍ରାଇଭର ଭଗବାନଙ୍କର କୌଣସି ଖୋଜଖବର ମିଳିଲା ନାହିଁ । ପରେ ୨୮ ତାରିଖରେ କେନ୍ଦୁଝର ଅନ୍ତର୍ଗତ ଘଷିପୁରା ଜଙ୍ଗଲ ଭିତରୁ ମିଳିଥିଲା ଭଗବାନଙ୍କର ଗଳିତ ମୃତଦେହ । ଏଭଳି ଏକ ରହସ୍ୟଜନକ ଘଟଣା ଘଟିବାର ୧୧ ଦିନ ପରେ ଭଗବାନଙ୍କୁ ହତ୍ୟା କରାଯାଇଥିବା ପୋଲିସ ସ୍ପଷ୍ଟ ହୋଇଥିଲା । ମଙ୍ଗଳବାର ପୋଲିସକୁ ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଜଣାପଡିଥିଲା । ତେବେ ଘଷିପୁରା ଥାନା ପୋଲିସ କଟକର ମାଲଗୋଦାମ ଥାନା ଓ ଗୋବିନ୍ଦପୁର ଥାନା ସହଯୋଗରେ ଅନୁସନ୍ଧାନ ଜାରି ରଖିଥିଲା । କାର୍ ଚାଳକ ଭଗବାନଙ୍କୁ କାର୍ ଭିତରେ ହିଁ ତଣ୍ଟି ଚିପି ହତ୍ୟା କରାଯାଇଥିବା ପୋଲିସ ସୂତ୍ରରୁ ଖବର ମିଳିଥିଲା ।
ପୂର୍ବରୁ ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଭଗବାନଙ୍କ ହତ୍ୟାକାଣ୍ଡ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ନୁହେଁ । କୌଣସି କାରଣରୁ କାରରେ ଯାତ୍ରା କରୁଥିବା ବ୍ୟକ୍ତି ଓ ଭଗବାନଙ୍କ ମଧ୍ୟରେ ବଚସା ହୋଇଛି । ଏହି ବଚସା କାରଣରୁ ହଠାତ ରାଗିଯାଇ କାରରେ ଯାତ୍ରା କରୁଥିବା ବ୍ୟକ୍ତି ତାଙ୍କ ଗଳା ଚିପି ହତ୍ୟା କରିଛନ୍ତି । ତେବେ ଯେଉଁ ତିନି ଜଣ କାର ଭଡ଼ାରେ ନେଇଥିଲେ ସେମାନେ ହିଁ ଅଭିଯୁକ୍ତ କିମ୍ବା ଘଟଣାରେ ଆଉ କେହି ସମ୍ପୃକ୍ତ ସେ ନେଇ ପୋଲିସ ତଦନ୍ତ ଚଳାଇଥିଲା । ପୋଲିସ ଏହି ଘଟଣାରେ କାର୍ ଭଡାରେ ନେଇଥିବା ଅଭିଯୁକ୍ତ ଦୁଇ ଯୁବକଙ୍କୁ ଗିରଫ କରିଛି ।
