ପବିତ୍ର ଶ୍ରାବଣ ପାଇଁ କାଲିଠୁ ଏହି ସବୁ ଷ୍ଟେସନ ଓ ଟ୍ରନରେ ଯାତ୍ରୀଙ୍କୁ ମିଳିବନି ଆମିଷ ଖାଦ୍ୟ
ଆସନ୍ତାକାଲିଠୁ ଆରମ୍ଭ ହେଉଛି ଶ୍ରାବଣ ମାସ । ଏହି ପବିତ୍ର ମାସରେ ମହାଦେବଙ୍କୁ ଜଳଲାଗି କରାଇଥାନ୍ତି କାଉଡିଆ । ସେଥିପାଇଁ ସେମାନେ ଦିର୍ଘ ଏକ ମାସ ଧରି ଆମିଷ ଠାରୁ ଦୂରରେ ରୁହନ୍ତି। ତେବେ, ଶ୍ରାବଣ ପାଇଁ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ ଏକ ବଡ ନିଷ୍ପତ୍ତି ନେଇଛି। ପବିତ୍ର ଶ୍ରାବଣ ମାସକୁ ଦୃଷ୍ଟିରେ ରଖି ବିହାରର ଭାଗଲପୁର ରେଲୱେ ଷ୍ଟେସନରେ ନନ୍ ଭେଜ୍ ଖାଦ୍ୟ ଉପରେ ପ୍ରତିବନ୍ଧ ଲଗାଇ ଦିଆଯାଇଛି । ଏହି ସମୟରେ କେବଳ ଶାକାହାରୀ ଭୋଜନ ପରସା ଯିବ । ଭାଗଲପୁର ଫୁଡ୍ ସର୍ଭିସ୍ ଷ୍ଟଲ ମ୍ୟାନେଜର ପଙ୍କଜ କୁମାର କହିଛନ୍ତି ଶ୍ରାବଣ ମାସରେ କୌଣସି ଖାଦ୍ୟରେ ପିଆଜ କି ରସୁଣ ନ ମିଶାଯିବା ଉପରେ ବିଶେଷ ଧ୍ୟାନ ଦିଆଯିବ । ଏହି ନିୟମ ଆସନ୍ତାକାଲି ଠାରୁ କାର୍ଯ୍ୟକାରୀ ହେବା ସହ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଏହି ନିୟମ ଜାରି ରହିବ।
ବିନା ପିଆଜ ରସୁଣରେ ଯାତ୍ରୀଙ୍କୁ ଖାଦ୍ୟ ମିଳିବ: ଭାଗଲପୁର ଫୁଡ୍ ସର୍ଭିସ୍ ଷ୍ଟଲ ମ୍ୟାନେଜର ପଙ୍କଜ କୁମାର କହିଛନ୍ତି ଯେ, ଶ୍ରାବଣ ଆରମ୍ଭ ହେଉଥିବାରୁ ଭାଗଲପୁର ରେଲୱେ ଷ୍ଟେସନରେ କିମ୍ବା ଟ୍ରେନରେ ଯାତ୍ରୀଙ୍କୁ କେବଳ ନିରାମିଷ ଓ ସାତ୍ତ୍ୱିକ ଭୋଜନ ମିଳିବ । ତାହା ପୁଣି ବିନା ପିଆଜ ରସୁଣରେ ପ୍ରସ୍ତୁତ ହେଉଥିବା ଖାଦ୍ୟ । ଭାରତୀୟ ରେଲୱେ ଖାଦ୍ୟପେୟ ଏବଂ ପର୍ଯ୍ୟଟନ ନିଗମ (IRCTC) ଶ୍ରାବଣରେ ଖାଦ୍ୟପେୟରେ ଫଳକୁ ଅଧିକ ଗୁରୁତ୍ୱ ଦେବ । ଏପରି ସ୍ଥିତିରେ ଶ୍ରାବଣ ମାସରେ ଖାଦ୍ୟପେୟକୁ ନେଇ ଯାତ୍ରୀମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ଏହା ଉପରେ ବିଶେଷ ଧ୍ୟାନ ରଖିବ । ଏବଂ ଷ୍ଟେସନର ସ୍ବଚ୍ଛତା ପ୍ରତି ମଧ୍ୟ ଧ୍ୟାନ ଦିଆଯିବ। ଏହି ରୁଟ୍ ଦେଇ ଯାଉଥିବା ସମସ୍ତ ଟ୍ରେନରେ କେବଳ ଶାକାହାରୀ ଖାଦ୍ୟ ଯାତ୍ରୀଙ୍କୁ ପରଶା ଯିବ। ଭାଗଲପୁର ଆଇଆର୍ସିଟିସିର ଶାକାହାରୀ ଭୋଜନରେ ରହିବ ଭାତ, ଡାଲି,ରୁଟି ପନିର, ପନିପରିବା ତରକାରୀ ଓ ସାଲାଡ ବୋଲି ସେ କହିଛନ୍ତି।
ଚଳିତ ବର୍ଷ ଶ୍ରାବଣ କେତେ ଦିନ ?
ଚଳିତ ବର୍ଷ ପଡ଼ିଛି ଯୋଡ଼ା ଶ୍ରାବଣ। ଆସନ୍ତାକାଲି (ଜୁଲାଇ ୪ରୁ) ଅଗଷ୍ଟ ୩୧ ପର୍ଯ୍ୟନ୍ତ ଶ୍ରାବଣ ମାସ ଚାଲିବ। ଶିବ ପୁରାଣ ଅନୁସାରେ, ଶ୍ରାବଣ ମାସଟିକୁ ବିଶେଷ ଶୁଭ ମନେ କରାଯାଏ। କାରଣ ଏହି ମାସରେ ଭକ୍ତମାନେ କାଉଡ଼ି ରୂପ ଧରି ମହାଦେବଙ୍କ ମଥାରେ ପାଣି ଅର୍ପଣ କରିବା ପାଇଁ ଯାଆନ୍ତି। ଏହି ବର୍ଷର ଶ୍ରାବଣ ମାସ ୫୯ ଦିନ ପର୍ଯ୍ୟନ୍ତ ରହିବ ଏବଂ ଏଥିରେ ୮ଟି ସୋମବାର ରହିଛି। ଏହି ସଂଯୋଗ ପ୍ରାୟ ୧୯ ବର୍ଷ ପରେ ପୁଣି ଆସିଛି। ଶ୍ରାବଣ ସୋମବାରରେ ଶିବଙ୍କୁ ପୂଜା କଲେ ମନୋସ୍କାମନା ପୂର୍ଣ୍ଣ ହେବା ସହ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି ।
ଶ୍ରାବଣ ମାସ ପ୍ରଥମ ସୋମବାରରେ ମହାଦେବଙ୍କୁ ଜଳାଭିଷେକ ଲାଗି ବିଭିନ୍ନ ଶୈବପୀଠରେ ପ୍ରସ୍ତୁତି ଆରମ୍ଭ ହୋଇଛି। ନଦୀକୂଳରେ ବାଲିରେ ଶିବଲିଙ୍ଗ ପ୍ରତିଷ୍ଠା ସହ ରୀତିନୀତିରେ ପୂଜାର୍ଚ୍ଚନା ପୂର୍ବକ କାଉଡ଼ିଆମାନେ ଜଳଭାର ନେଇ ଏକମୁହାଁ ହୋଇ ବିଭିନ୍ନ ଶୈବପୀଠ ଅଭିମୁଖେ ଯାଆନ୍ତି। ଏହି ବୋଲବମ୍ ଯାତ୍ରାରେ ଯୁବତୀଯୁବକଙ୍କ ସମେତ ମହିଳା ଓ ଛୋଟ ଛୋଟ ପିଲାମାନେ ମଧ୍ୟ ମାସିଲ ହୋଇଥାଆନ୍ତି। କାଉଡ଼ିଆଙ୍କ ମୁହଁରୁ ବାହାରୁଥିବା ଅଖଣ୍ଡ ‘ବୋଲ୍ବମ୍, ହରହର ବମ୍’, ‘ଭୋଲାବାବା ପାର କରେଗା’ ଇତ୍ୟାଦି ଶବ୍ଦରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠେ।
