ପ୍ରେମିକ ସହ ଫେରାର୍ ହେଲା ଗର୍ଭବତୀ ସ୍ତ୍ରୀ, ଜାଣନ୍ତୁ କ’ଣ ରହିଛି ପୂରା ଘଟଣାକ୍ରମ?
ଢେଙ୍କାନାଳ : ପ୍ରେମ ପାଇଁ ସାତ ଜନ୍ମର ସମ୍ପର୍କକୁ ତୁଚ୍ଛ କଲା ସ୍ତ୍ରୀ। ପ୍ରେମିକ ପାଇଁ ସ୍ବାମୀକୁ ଦେଲା ଧୋକା । ବାହାଘରର ତିନି ମାସ ପରେ ସ୍ବାମୀକୁ ଛାଡି ଫେରାର ହେଲା ଗର୍ଭବତୀ ସ୍ତ୍ରୀ । ଏହି ଘଟଣାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ ଅନ୍ତର୍ଗତ ନାରଦମୁଣ୍ଡା ଗାଁରେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ଘଟଣାର ଛାନଭିନ୍ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଘଟଣା ଘଟିଲା ସେନେଇ ତଦନ୍ତ ଚଳାଇଛି।
ଜାଣନ୍ତୁ କ’ଣ ଥିଲା ପୂରା ଘଟଣାକ୍ରମ :
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ ଅନ୍ତର୍ଗତ ନାରଦମୁଣ୍ଡା ଗାଁର ଦଣ୍ଡଧର ପ୍ରଧାନଙ୍କ ପୁଅ ତୃତୀୟା ପ୍ରଧାନ ବୈଦିକ ରୀତିରେ ହୋମ ନିଆଁକୁ ସାକ୍ଷୀ ରଖି ପାଲଲହଡ଼ା ବ୍ଲକ ଖମାର ଥାନା ଖେମଳା ପଞ୍ଚାୟତ ଅନ୍ତର୍ଗତ ଘେନକାନି ଗାଁର ନବିନା କିଷାନଙ୍କ ଝିଅ ସୌଦାମିନୀଙ୍କୁ ଗତ ମାର୍ଚ୍ଚ ୩ ତାରିଖ ଦିନ ବିବାହ କରିଥିଲେ । ହିନ୍ଦୁ ଧର୍ମର ବୈଦିକ ରୀତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ବିବାହ ପରେ ଝିଅକୁ ନିଜ ଶ୍ବଶୁର ଘରକୁ ବିଦା କରିଥିଲେ ବାପଘର ଲୋକେ। କିନ୍ତୁ ଏହି ବିବାହରେ ଖୁସି ନଥିଲେ ସୌଦାମିନୀ । କାହିଁକିନା ସେ ପୂର୍ବରୁ ଜଣଙ୍କୁ ମନପ୍ରାଣ ଦେଇ ଭଲ ପାଇଥିଲେ।
ଆଉ ତାଙ୍କ ମନ ଥିଲା ପୂର୍ବତନ ପ୍ରେମିକ ପାଖରେ। ଯାହାକୁ ସେ ବିବାହ ପରେ ମଧ୍ୟ ଝୁରି ହେଉଥିଲେ । ଏପରିକି ବିବାହ ପରେ ମଧ୍ୟ ସେ ଫୋନରେ ତାଙ୍କ ସହ ଯୋଗାଯୋଗରେ ମଧ୍ୟ ଥିଲେ। ତେବେ ରଜ ପର୍ବ ପାଇଁ ସୌଦାମିନୀ ନିଜ ବାପଘରକୁ ଆସିଥିଲା। ଏହି ସମୟରେ ସେ ନିଜ ପ୍ରେମିକ ସହ ଫେରାର୍ ହୋଇ ଯାଇଥିଲା। ପରେ ସୌଦାମିନୀଙ୍କ ଘର ଲୋକ ଫୋନ କରି ତୃତୀୟାକୁ କହିଥିଲେ ଯେ ଝିଅ ରାତି ୯ଟାରେ କେଉଁ ଆଡେ ପଳେଇ ଯାଇଛି । ଏକଥା ଶୁଣି ଭାଙ୍ଗି ପଡିଥିଲେ ସ୍ବାମୀ ତୃତୀୟା। ପରେ ସ୍ତ୍ରୀଙ୍କୁ ଚାରିଆଡେ ଖୋଜାଖୋଜି କରିଥିଲେ। କିନ୍ତୁ ପାଇ ନଥିଲେ । ଆଉ ଜାଣିବାକୁ ପାଇଲେ ଯେ, ସ୍ତ୍ରୀ ଅନ୍ୟ କେଉଁ ପୁରୁଷ ସହିତ ପଳେଇ ଯାଇଛି । ଅନ୍ୟପକ୍ଷରେ ଆଶା ଦିଦିଙ୍କ କହିବା ଅନୁସାରେ ଝିଅ ତିନି ମାସର ଗର୍ଭବତୀ ଥିଲେ । ରଜ ପରେ ତାଙ୍କୁ ପ୍ରଥମ ଟୀକା ଦିଆଯିବାର ଥିଲା । ମମତା କାର୍ଡ ମଧ୍ୟ ହେବାର ଥିଲା । ହେଲେ ପ୍ରେମରେ ଅନ୍ଧ ହୋଇ ସୌଦାମିନୀ ନିଜ ପ୍ରେମିକ ସହିତ ଫେରାର ହୋଇଯାଇଥିବା ତାଙ୍କ ବାପା କହିଛନ୍ତି । ପୋଲିସ୍ ଘଟଣାର ଛାନଭିନ୍ ଆରମ୍ଭ କରିଥିବା ବେଳେ ଏ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
